Categories: ଜାତୀୟ

କୋର୍ଟରେ ଜଜ୍‌ଙ୍କୁ ପିଟିଲେ ପୋଲିସ ଅଧିକାରୀ

ମଧୁବନି(ବିହାର),୧୮।୧୧: କୋର୍ଟ ମଧ୍ୟରେ ଜଜ୍‌ଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇଛନ୍ତି ଦୁଇ ଜଣ ପୋଲିସ କର୍ମୀ। ବିହାରର ମଧୁବନି ଜିଲାରେ ବୁଧବାର ଘଟିଛି ଏହି ଘଟଣା। ଝାଁଝରପୁର କୋର୍ଟରେ ଏକ ମାମଲାର ଶୁଣାଣି ଚାଲିଥିବା ବେଳେ ଦୁଇ ଜଣ ପୋଲିସ ଅଧିକାରୀ ଅତିରିକ୍ତ ଜିଲା ସେସନ କୋର୍ଟ (ଏଡିଜେ) ଜଜ୍‌ ଅଭିନାଶ କୁମାରଙ୍କୁ ମାଡ଼ ମାରିଥିଲେ। ଏପରିକି ବିଚାରପତିଙ୍କୁ ବନ୍ଧୁକ ଦେଖାଇ ଥିଲେ। ବର୍ତ୍ତମାନ ପୀଡ଼ିତ ବିଚାରପତି ଏବେ ସୁରକ୍ଷିତ ଅଛନ୍ତି।

ଜଜ୍‌ଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିବା ଓକିଲ ଓ କୋର୍ଟ ଷ୍ଟାଫଙ୍କୁ ମଧ୍ୟ ମାଡ଼ ମାରି ଆହତ କରିଛନ୍ତି ଷ୍ଟେଶନ ହାଉସ ଅଫିସର ଗୋପାଳ ପ୍ରସାଦ ଓ ସବ୍‌-ଇନ୍ସପେକ୍ଟର ଅଭିମନ୍ୟୁ କୁମାର। ଦୁଇ ଅଭିଯୁକ୍ତ ଘୋଘାଦିଆ ଥାନାରେ ମୁତୟନ ଥିଲେ। ଏକ ମାମଲାରେ ଦୁଇ ଅଭିଯୁକ୍ତ ଅଧିକାରୀ କୋର୍ଟରେ ହାଜର ହୋଇଥାନ୍ତେ। କିନ୍ତୁ ହଠାତ୍‌ ସେମାନେ ବିଚାରପତିଙ୍କୁ ଆକ୍ରମଣ କରିଥିଲେ।

Share