ଗୋଟିଏ ଦିନରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଦୁଇ ଗର୍ଭବତୀଙ୍କ ମୃତ୍ୟୁ, ସାଧାରଣରେ ଅସନ୍ତୋଷ

କେନ୍ଦୁଝର,୧୨ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଶନିବାର ଦୁଇ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ବାଂଶପାଳ ବ୍ଲକ ସଦର ଥାନା ଅନ୍ତର୍ଗତ କୁମୁଣ୍ତି ଗ୍ରାମର ଦେବ ମୁଣ୍ତାଙ୍କ ସ୍ତ୍ରୀ ରଜନୀ(୨୬)। ଅନ୍ୟଜଣେ ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ବାରକୋଟ ଅଞ୍ଚଳର ଶୁସାନ୍ତ ହେମ୍ବ୍ରମଙ୍କ ସ୍ତ୍ରୀ ପିଙ୍କି(୨୦)। ମେଡିକାଲରେ ପୋଲିସ ପହଞ୍ଚି ଉଭୟଙ୍କ ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ,ପିଙ୍କି ହେମ୍ବ୍ରମଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ପ୍ରଥମେ ପାଲଲହଡା ମେଡିକାଲକୁ ଆଣିଥିଲେ। ସେଠାରେ ତାଙ୍କର ଅବସ୍ଥା ସଂଙ୍କଟାପନ୍ନ ହେବାରୁ ଡାକ୍ତର କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ତେବେ ଆଜି ଅପରାହ୍ନ ୩ଟାରେ ମେଡିକାଲରେ ଭର୍ତ୍ତି ହୋଇ ଡାକ୍ତରଙ୍କୁ ଦେଖାଇବାରୁ ଡାକ୍ତର ପିଙ୍କିଙ୍କୁ ମୃତ ଘୋଷଣା କରିଥିଲେ। ଆଜି ପୋଲିସ ଏକ ମାମଲା ରୁଜୁ କରିବା ସହିତ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛ। ସେହିପରି କୁମୁଣ୍ତି ଗ୍ରାମର ଦେବ ମୁଣ୍ତାଙ୍କ ସ୍ତ୍ରୀ ରଜନୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଚିକିତ୍ସା ପୂର୍ବରୁ ଡାକ୍ତର ରଜନୀଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଖବର ପାଇ ମୃତଦେହ ଜବତ କରିଛି। ଗୋଟିଏ ଦିନରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଦ୍ବୟ ଗର୍ଭବତୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ବିଭିନ୍ନ ମହଲରେ ଘୋର ନିନ୍ଦା କରାଯାଇଛି। ଜିଲା ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ଦାବି ହୋଇଛି।

Share