ବ୍ରହ୍ମପୁର ଅଫିସ,୧୮ା୫: ବ୍ରହ୍ମପୁରର ଏସ୍ପି ଭାବେ ଡା. ଶ୍ରବଣ ବିବେକ ଏମ୍. ଯୋଗଦେବା ପରେ ପୋଲିସ ଜିଲାର ପେସାଦାର ଅପରାଧୀ ଓ ଆପରାଧିକ କାର୍ଯ୍ୟକଳାପ ଉପରେ ପୋଲିସ ନଜର ରଖିଛି। ମଙ୍ଗଳବାର ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ଇନ୍କମ ଟ୍ୟାକ୍ସ ଅଫିସ ନିକଟରେ ଦୁଇଜଣ ପେସାଦାର ଅପରାଧୀ ଏକତ୍ରିତ ହୋଇଥିବା ପୋଲିସ ଖବର ପାଇଥିଲା। ଅଭିଯୁକ୍ତମାନେ କୌଣସି ଜଣେ ବ୍ୟକ୍ତିଙ୍କୁ ଟାର୍ଗେଟ କରି ସେଠାରେ ଏକତ୍ରିତ ହୋଇଥିବା ଜଣାପଡ଼ିବା ପରେ ଗୋପାଳପୁର ପୋଲିସ ଚଢ଼ାଉ କରି ଆମ୍ବପୁଆର ଗଣେଶ ଓରଫ କାଳିଆ ରେଡ୍ଡୀ(୩୪) ଓ କହ୍ନେଇ ସେଠୀ (୩୧)ଙ୍କୁ କାବୁ କରିଥିଲା। ଥାନାରେ ସେମାନଙ୍କୁ ଜେରା ବେଳେ ସେମାନଙ୍କ ନିକଟରୁ ଦୁଇଟି ବନ୍ଧୁକ, ୬ଟି ଗୁଳି, ଗୋଟିଏ ଗାଡ଼ି ଜବତ ହୋଇଛି ବୋଲି ବୁଧବାର ପୋଲିସ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍ପି ଶ୍ରବଣ ଏନେଇ ସୂଚନା ଦେଇଛନ୍ତି। ଗଣେଶଙ୍କ ନଁାରେ ଗୋପାଳପୁର ଥାନାରେ ୯ଟି ସଙ୍ଗିନ ମାମଲା ରହିଥିବା ବେଳେ କହ୍ନେଇ ସେଠୀ ପଶ୍ଚିମବଙ୍ଗ ହୁଗୁଳିଠାରେ ଏକ ହତ୍ୟା ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ। ନିକଟରେ ସେ ଜାମିନରେ ମୁକୁଳିବା ପରେ ସେଠାରୁ ଫେରାର ହୋଇ ବ୍ରହ୍ମପୁର ଚାଲି ଆସିଥିଲେ ବୋଲି ସେ କହିଛନ୍ତି। ଏହି ଦୁଇ ଅଭିଯୁକ୍ତ ବନ୍ଧୁକ କେଉଁଠାରୁ ଆଣିଥିଲେ, ଏମାନଙ୍କୁ କିଏ ବନ୍ଧୁକ ଯୋଗାଣ କରୁଛି, ଏମାନେ କାହାକୁ ହତ୍ୟା ପାଇଁ ଯୋଜନା କରୁଥିଲେ ସେନେଇ ପୋଲିସ ଏବେ ତନାଘନା କରୁଛି। ଗୋପାଳପୁର ଥାନା ମାମଲା ନଂ. ୮୭/୨୨ରେ ଗଣେଶ ଓ କହ୍ନେଇଙ୍କୁ ବୁଧବାର କୋର୍ଟଚାଲାଣ କରାଯାଇଛି। ଆବଶ୍ୟକ ହେଲେ ଏହି ଦୁଇ ଅଭିଯୁକ୍ତଙ୍କୁ ପୋଲିସ ରିମାଣ୍ଡରେ ଆଣିବ ବୋଲି ମଧ୍ୟ ଏସ୍ପି କହିଛନ୍ତି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଦର ଏସ୍ଡିପିଓ ଶିବ ଶଙ୍କର ମହାପାତ୍ର, ଗୋପାଳପୁର ଥାନାଧିକାରୀ ଶ୍ରୀକାନ୍ତ ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ।