ପୁରୁଷୋତ୍ତମପୁର,୨୪।୪ (ଡି.ଏନ.ଏ.): ପୁରୁଷୋତ୍ତମପୁର ଥାନା ହିଞ୍ଜିଳି ତହସିଲ ଅନ୍ତର୍ଗତ ଦୟାନିଧିପୁର ଗ୍ରାମରେ ୨ ଜଣ ଆର୍ଆଇଙ୍କୁ ଆକ୍ରମଣ ସହ ଗାଡି ଚଢାଇ ହତ୍ୟା ଉଦ୍ୟମ ଅଭିଯୋଗରେ ପୋଲିସ ଶନିବାର ବାଲି ବ୍ୟବସାୟୀ ୨ ଭାଇଙ୍କୁ ଗିରଫ କରିଛି। ସେମାନେ ହେଲେ ଦୀପକ କୁମାର ତ୍ରିପାଠୀ ଓ ସପନ ତ୍ରିପାଠୀ। ଥାନା ମାମଲା ନଂ.୨୧୯/୨୨ ପ୍ରକାରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଦୟାନିଧିପୁର ଗ୍ରାମ ନିକଟ ଋଷିକୁଲ୍ୟା ନଦୀରୁ ବେଆଇନ୍ ବାଲି ଚାଲାଣ ହେଉଥିବା ହିଞ୍ଜିଳି ତହସିଲ ପ୍ରଶାସନକୁ ଖବର ମିଳିଥିଲା। ତହସିଲଦାର ପ୍ରଭାତ କୁମାର ପରିଡାଙ୍କ ନିର୍ଦ୍ଦେଶକ୍ରମେ ନନ୍ଦିକ ଆର୍ଆଇ କୃଷ୍ଣଚନ୍ଦ୍ର ଜାନି ଓ ବୁରୁପଡା ଆର୍ଆଇ ସୁଧାଂଶୁ ଶେଖର ପାଣିଗ୍ରାହୀ ଗୁରୁବାର ରାତିରେ ସେଠାରେ ଚଢ଼ାଉ କରି ଟ୍ରାକ୍ଟର (ଓଡି ୦୭ଏମ ୩୪୭୮)କୁ ଅଟକାଇଥିଲେ। ଟ୍ରାକ୍ଟର ଡ୍ରାଇଭର ତଥା ଦୟାନିଧିପୁରର ଦୀପକ ୨ ଆର୍ଆଇଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ। ସେ ତାଙ୍କ ଭାଇ ସପନ ଓ ବାପା ମନୋଜ ତ୍ରିପାଠୀଙ୍କୁ ଡକାଇଥିଲେ। ବାପା ଓ ୨ ଭାଇ ମିଶି ଆରଆଇଙ୍କୁ ଆକ୍ରମଣ କରିବା ସହ ଗାଡି ଚଢାଇ ଦେବାକୁ ଉଦ୍ୟମ କରିଥିଲେ। ଆହତ ଆର୍ଆଇଦ୍ୱୟ ସେଠାରୁ ଦୌଡ଼ି ଆସି ହିଞ୍ଜିଳି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ଆରଆଇ କୃଷ୍ଣ ଚନ୍ଦ୍ର ଜାନି ଏ ନେଇ ତହସିଲଦାର ପରିଡ଼ାଙ୍କୁ ଜଣାଇବା ପରେ ସେ ପୁରୁଷୋତ୍ତମପୁର ଥାନାରେ ଶୁକ୍ରବାର ଅଭିଯୋଗ କରିଥିଲେ। ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ଅଭିଯୋଗ ପ୍ରକାରେ ମାମଲା ରୁଜୁ କରିଥିଲେ। ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଏହାର ତଦନ୍ତ କରି ଶନିବାର ସକାଳେ ଦୟାନିଧିପୁରରେ ଚଢାଉ କରି ଅଭିଯୁକ୍ତ ଦୁଇ ଭାଇଙ୍କୁ କାବୁ କରିବା ସହ ଟ୍ରାକ୍ଟରକୁ ଜବତ କରିଛନ୍ତି। ଅଭିଯୁକ୍ତଙ୍କ ବାପା ଫେରାର ହୋଇଯାଇଛନ୍ତି।