କୋଭିଡ୍‌ ଗାଇଡ୍‌ଲାଇନ ନ ମାନିବାରୁ ସିଲ୍‌ ହେଲା ୨ ଦୋକାନ

ଝାରସୁଗୁଡା ଅଫିସ୍‌,୪।୪: ଝାରସୁଗୁଡ଼ା ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନତା କରାଯାଉଛି। ତଥାପି କେତେକ ଅମାନିଆ ନିୟମ ପାଳନ କରୁନାହାନ୍ତି। ଜିଲା ପ୍ରଶାସନ ଏହି ଦିଗରେ କଠୋର ହୋଇଛି। ଜିଲାପାଳ ସରୋଜ ସାମଲଙ୍କ ନିର୍ଦ୍ଦେଶ କ୍ରମେ ୨ଟି ସ୍ବତନ୍ତ୍ର ସ୍କ୍ବାଡ ଗଠନ କରାଯାଇଛି। ଗୋଟିଏ ସ୍କ୍ବାଡରେ ଝାରସୁଗୁଡ଼ା ବ୍ଲକ ବିଡିଓ ପ୍ରସନ୍ନ ପାଣ୍ଡେ ରହିଥିବା ବେଳେ ଅନ୍ୟ ଏକ ସ୍କ୍ବାଡରେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗେନ୍ଦ୍ର ମାଝି, ପୋଲିସ ଅଧିକାରୀ ମଦନ ନାୟକ, ପ୍ରଦୀପ ସାହୁ, କନେଷ୍ଟବଳ ମନୋଜ ପଟେଲ ପ୍ରମୁଖ ରହିଛନ୍ତି। ସ୍ବତନ୍ତ୍ର ସ୍କ୍ବାଡ ରବିବାର ସନ୍ଧ୍ୟାରେ ସହରରେ ମାସ୍କ ପିନ୍ଧୁ ନ ଥିବା ଓ ସାମାଜିକ ଦୂରତା ନିୟମର ପାଳନ କରୁ ନ ଥିବା ଦୋକାନ ଉପରେ ଚଢାଉ କରିଥିଲା। ୧୦ଟି ଦୋକାନରୁ ୧୦ ହଜାର ଟଙ୍କା ଜିରିମାନା ଆଦାୟ କରାଯାଇଛି। କୋଭିଡ୍‌ ଗାଇଡ୍‌ଲାଇନ ପାଳନ କରୁ ନ ଥିବାରୁ ଗୋଟିଏ ମୋବାଇଲ୍‌ ଦୋକାନ ଏବଂ ଏକ ଚପଲ ଦୋକାନକୁ ସିଲ୍‌ କରାଯାଇଛି। ଏହି ଚଢାଉ ରାତି ୮ଟା ପର୍ଯ୍ୟନ୍ତ ଚାଲିଥିଲା।

Share