ପାକିସ୍ତାନରେ ୨ ଶିଖ୍‌ ବ୍ୟବସାୟୀଙ୍କୁ ହତ୍ୟା

ପେଶାଓ୍ବର,୧୬।୫(ପି.ଟି.): ପାକିସ୍ତାନର ଉତ୍ତରପଶ୍ଚିମ ଖାଇବର-ପଖତୁନଖ୍ବା ପ୍ରଦେଶ ଅନ୍ତର୍ଗତ ପେଶାଓ୍ବର ସହରରେ ରବିବାର ଦିନ ଦ୍ୱିପ୍ରହରରେ ୨ ଜଣ ଶିଖ୍‌ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ରଞ୍ଜିତ ସିଂ(୪୨) ଏବଂ କୁଲ୍‌ଜିତ ସିଂ(୩୮)ଙ୍କୁ ଗୁଳି କରିଥିଲେ। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଆକ୍ରମଣ ପାଇଁ ଇସ୍‌ଲାମିକ ଷ୍ଟେଟ୍‌ ଓ୍ବିଲାୟା ଖୋରାସାନ (ଆଇଏସ୍‌କେପି) ନିଜକୁ ଦାୟୀ କରିଛି। ଘଟଣାର ଉପଯୁକ୍ତ ତଦନ୍ତ କରି ଅପରାଧୀଙ୍କୁ ତୁରନ୍ତ ଦଣ୍ଡିତ କରିବା ଲାଗି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପାକିସ୍ତାନକୁ କହିଛି।

ମସଲା ବ୍ୟବସାୟ କରୁଥିବା ୨ ଶିଖ୍‌ଙ୍କର ପେଶାଓ୍ବରଠାରୁ ୧୭ କିଲୋମିଟର ଦୂର ବାଟା ଟାଲ୍‌ ବଜାରରେ ସେମାନଙ୍କର ଦୋକାନ ରହିଛି। ଆକ୍ରମଣକୁ ଖାଇବର-ପଖତୁନଖ୍ବା ମୁଖ୍ୟମନ୍ତ୍ରୀ ମହମ୍ମଦ ଖାନ ନିନ୍ଦା କରିବା ସହ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ଲାଗି ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ସାମ୍ପ୍ରଦାୟିକ ସଦ୍‌ଭାବ ଭଙ୍ଗ କରିବା ଲାଗି ଏହା ଏକ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ପାକିସ୍ତାନରେ ଶିଖ୍‌ଙ୍କ ଉପରେ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ପ୍ରସଙ୍ଗ ଇସ୍‌ଲାମାବାଦ ନିକଟରେ ଉଠାଇବାକୁ ବହିର୍ବ୍ୟାପାର ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲେ। ମୃତକଙ୍କ ପରିବାରକୁ ତୁରନ୍ତ ନ୍ୟାୟ ମିଳିବା ଆବଶ୍ୟକ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ, ଶିରୋମଣି ଅକାଳୀ ଦଳ ଅଧ୍ୟକ୍ଷ ସୁଖବୀର ସିଂ ବାଦଲ ଏବଂ ଏସ୍‌ଜିପିସି ପକ୍ଷରୁ ଦାବି କରାଯାଇଛି।

Share