ଅମରପାଲି,୫।୪(ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରରେ ମଙ୍ଗଳବାର ଖେଳୁଥିବା ବେଳେ କୂଅରେ ପଡି ଦୁଇ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦେଢବର୍ଷର ସିଦ୍ଧିଶ୍ରୀ ଶତପଥୀ ଏବଂ ତିନିବର୍ଷର ଦିଶା ମିଶ୍ର। ମୃତା ଶିଶୁକନ୍ୟା ସମ୍ପର୍କରେ ମାମୁ ଝିଅ ଓ ପିଉସୀ ଝିଅ ଭଉଣୀ। ଦିଶା କମିରା ସ୍କୁଲରେ କାର୍ଯ୍ୟରତ ଶିକ୍ଷକ ଆଲୋକ ମିଶ୍ରଙ୍କ ଏକ ମାତ୍ର ଝିଅ ଏବଂ ସିଦ୍ଧିଶ୍ରୀ ବୀରମହାରାଜପୁର ଡାକ୍ତରଖାନରେ କାର୍ଯ୍ୟରତ ମହିଳା ସ୍ବାସ୍ଥ୍ୟକର୍ମୀ ଅଳକା ମିଶ୍ରଙ୍କ ଏକମାତ୍ର ଝିଅ।
ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ସାରେ ଉଭୟେ ନିଜ ଘର ପଛପଟେ ଖେଳୁଥିବା ବେଳେ ମୁକୁଳା କୂଅରେ ପଡିଯାଇଥିଲେ। ଦୀର୍ଘ ସମୟ ଧରି ଉଭୟଙ୍କୁ ନ ପାଇ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଶେଷରେ ଦୁଇଶିଶୁ କୂଅରେ ପଡିଥିବା ଦେଖି ସ୍ଥାନୀୟ ଦମକଳ ବାହିନୀ ସହାୟତାରେ ଉଦ୍ଧାର ପରେ ପ୍ରଥମେ ବୀରମହାରାଜପୁର ଡାକ୍ତରଖାନା ନିଆଯାଇଥିଲା। ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ସୋନପୁର ଜିଲା ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାମତେ ଅଳକା ସମ୍ବଲପୁରର ସଂଗ୍ରାମ କେଶରୀ ଶତପଥୀଙ୍କୁ ବିବାହ କରିଥିଲେ। ହେଲେ ବୀରମହାରାଜପୁର ଡାକ୍ତରଖାନାରେ ମହିଳା ସ୍ବାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟ କରୁଥିବାରୁ ବାପା କଲ୍ଲୋଳ ମିଶ୍ରଙ୍କ ଘରେ ରହୁଥିଲେ। ଅଳକା ଓ ତାଙ୍କ ବଡ଼ବାପା ପୁଅ ଶିକ୍ଷକ ଆଲୋକ ଘର ପାଖାପାଖି ହୋଇଥିବା ବେଳେ ଉଭୟ ଶିଶୁକନ୍ୟା ପ୍ରାୟତଃ ଏକାଠି ଖେଳାଖେଳି କରନ୍ତି।