Advertisement

ପୋଖରୀରେ ବୁଡିଗଲେ ୨ ଭଉଣୀ

ମାଲକାନଗିରି, ୨୨।୧୧(ଡି.ଏନ.ଏ)-ମାଲକାନଗିରି ଜିଲା କାଲିମେଳା ବ୍ଲକ ମୋଟୁ ଥାନା ଅନ୍ତର୍ଗତ ପୁଶୁଗୁଡା ପଞ୍ଚାୟତ ମୁକାନପାଲି ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୋଖରୀରେ ବୁଡିଯାଇ ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ବୟସ ୬ ଓ ୩ ବର୍ଷ ବୋଲି ଜଣାପଡିଛି। ଖବରରୁ ଜଣାପଡିଛି ମୁକାନପାଲି ଗ୍ରାମର ଉପେଲ ଗଙ୍ଗାଙ୍କ ସ୍ତ୍ରୀ ଉପେଲ ମୁନି ତାଙ୍କ ଘରଠାରୁ ୫୦୦ ମିଟର ଦୂରରେ ଥିବା ଜମିରୁ ଧାନ କାଟିବା ପାଇଁ ଯାଇଥିଲେ। ସାଙ୍ଗରେ ସେ ନିଜ ୨ ପିଲାଙ୍କୁ ନେଇଥିଲେ। ସେ ଧାନ କାଟୁଥିବା ସମୟରେ ଜମି ନିକଟରେ ଥିବା ପୋଖରୀ ପାଖରେ ଦୁଇ ଭଉଣୀ ଖେଳୁଥିଲେ। ସାନଭଉଣୀ ହଠାତ୍‌ ପାଣି ଭିତରେ ପଡିଯିବାରୁ ବଡଭଉଣୀ ତାକୁ ଉଦ୍ଧାର କରିବାକୁ ପୋଖରୀ ଭିତରକୁ ଯାଇଥିଲେ। ତେବେ ପୋଖରୀରେ ବହୁତ ପାଣି ଥିବାରୁ ଉଭୟେ ବୁଡିଯାଇଥିଲେ। କିଛି ସମୟ ପରେ ମା’ ମୁନି ପୋଖରୀ ନିକଟକୁ ଆସି ଦୁଇ ଝିଅଙ୍କୁ ଖୋଜିଥିଲେ। ଅନେକ ଖୋଜାଖୋଜି କରିବା ପରେ ଉଭୟଙ୍କୁ ପାଣିରୁ ଉଦ୍ଧାର କରିଥିଲେ ା ସେତେବେଳକୁ ଉଭୟଙ୍କ ମୃତ୍ୟୁ ହୋଇସାରିଥିଲା। ଖବର ପାଇ ମୋଟୁ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚତ୍ ଦୁଇ ଶିଶୁଙ୍କୁ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ ା ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share