ମା’ ଆଗରେ କୂଅରେ ପଡ଼ିଗଲେ ୨ ପୁଅ

ସମ୍ବଲପୁର,୯ା୧୧(ବ୍ୟୁରୋ): ସମ୍ବଲପୁର ଟାଉନ ଥାନା ଅଧୀନ ସାହୁ କଲୋନୀରେ ଏକ ଦୁଃଖଦ ଘଟଣା ଘଟିଛି। ମା’ଙ୍କ ଆଖି ଆଗରେ କୂଅରେ ପଡ଼ି ଜୀବନ ହାରିଛନ୍ତି ୨ ପୁଅ। ସେମାନେ ହେଲେ ସୁଶୀଲ ତ୍ରିପାଠୀ(୪୦) ଓ ସୁନୀଳ ତ୍ରିପାଠୀ (୩୭)। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ମିଳିଥିବା ସୂଚନା ମୁତାବକ ସୁନୀଳ ଓ ସୁଶୀଲ କଲୋନୀର ଏକ କୂଅ ଚାନ୍ଦିନୀରେ ବସିଥିଲେ। କୌଣସି କାରଣରୁ ହଠାତ୍‌ ସୁନୀଳ କୂଅ ଭିତରକୁ ଢଳିବା ଆରମ୍ଭ କରିଥିଲେ। ଏହାଦେଖି ସୁଶୀଲ ଭାଇ ସୁନୀଳଙ୍କ ହାତ ଧରି ପକାଇଥିଲେ। ହେଲେ ଭାରସାମ୍ୟ ହରାଇ ଉଭୟେ କୂଅରେ ପଡି ଯାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚତ୍ କୂଅରୁ ଦୁଇଭାଇଙ୍କୁ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ଜିଲା ସଦର ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଦୁଇଭାଇଙ୍କ ମୃତ୍ୟୁ ପରେ ବୃଦ୍ଧ ମା’ବାପା ବେସାହାରା ହୋଇଯାଇଛନ୍ତି। ସମ୍ବଳ ଅନୁଷ୍ଠାନ ପକ୍ଷରୁ ଦୁଇଭାଇଙ୍କ ମୃତଦେହ ରାଜଘାଟରେ ସତ୍କାର କରାଯାଇଛି। ସୁନୀଳ ଓ ସୁଶୀଲ ବିବାହିତ ଓ ସେମାନଙ୍କର ଗୋଟିଏ ଲେଖାଏ ଝିଅ ଥିବା ଜଣାପଡିଛି। ଏହାକୁ ନେଇ ସାହୁ କଲୋନୀରେ ଶୋକରଛାୟା ଖେଳିଯାଇଛି ।

Share