ପୋଖରୀରେ ବୁଡ଼ି ଚାଲିଗଲା ଦୁଇ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ଜୀବନ

ଧାମନଗର,୫।୩(ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ବ୍ଲକ ପୋଡିଗାଁ ପଞ୍ଚାୟତ ନାଉରୀଗଡ଼ିଆ ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ମଧ୍ୟାହ୍ନରେ ଗାଁ ନିକଟସ୍ଥ ଏକ ପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେମାନେ ପଞ୍ଚମ ଶ୍ରେଣୀର ପଢୁ ଥିଲେ। ମୃତ ଛାତ୍ର ଦ୍ୱୟ ହେଲେ ଗାଁର ଅଲେଖ ବିଶ୍ବାଳଙ୍କ ପୁଅ ହେମନ୍ତ ବିଶ୍ବାଳ ଏବଂ ବାସୁଦେବ ବିଶ୍ବାଳଙ୍କ ପୁଅ କାର୍ତ୍ତିକ ବିଶ୍ବାଳ। ଦୁହେଁ ପଞ୍ଚମ ଶ୍ରେଣୀରେ ପଢୁଥିଲେ।

ମିଳିଥିବା ସୂଚନା ମୁତାବକ, ହେମନ୍ତ ଏବଂ କାର୍ତ୍ତିକ ଗୋହିରାଟିକିରି ମଠପାଖକୁ କୋଳି ଖାଇବାକୁ ଯାଇଥିଲେ। ପରବର୍ତ୍ତୀ ସମୟରେ ସେମାନେ ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେତିକିବେଳେ କୌଣସି କାରଣ ବଶତଃ ସେମାନେ ପାଣିରେ ବୁଡି ଯାଇଥିଲେ। ଖବର ପାଇ ଗ୍ରାମବାସୀଙ୍କ ସହ ପରିବାର ଲୋକେ ଦୁଇଛାତ୍ରଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଦୁଇ ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଗାଁରେ ଶୋକର ଛାୟା ଖେଳି ଯାଇଛି। ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇଛି।

Share