ଏନ୍‌କାଉଣ୍ଟରରେ ୨ ଅଭିଯୁକ୍ତ ଗୁରୁତର

ରାଉରକେଲା, ୧୪।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବିଶ୍ରା ଥାନା ଅନ୍ତର୍ଗତ ବିଶ୍ରା ମଣ୍ଡପ ନିକଟରେ ପୋଲିସ ଏନ୍‌କାଉଣ୍ଟରରେ ଦୁଇ ଅପରାଧୀ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଗୁରୁବାର ଭୋର ସମୟରେ ଏହି ଘଟଣା ଘଟିଛି। ତେବେ ଏହି ଦୁଇ ଅଭିଯୁକ୍ତ ହେଲେ ମୁସ୍ତାକ ଆଲମ ଓ ମହମ୍ମଦ ଗୁଡୁ। ମୁସ୍ତାକଙ୍କ ଘର ରାଉରକେଲା ନାଲା ରୋଡର ଭାଟି ରୋଡରେ ହୋଇଥିବା ବେଳେ ଗୁଡୁଙ୍କ ଘର ମାଲଗୋଦାମ ଅଞ୍ଚଳରେ।
ସୂଚନାଯୋଗ୍ୟ, ବିଶ୍ରା ଅଞ୍ଚଳରେ ୨ ଜଣ ଅପରାଧୀ ଲୁଚି ରହିଥିବା ରାଉରକେଲା ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ତେଣୁ ଏହାର ଏକ ସ୍ପେଶାଲ ଟିମ ଘଟଣାସ୍ଥଳରେ ପହଞ୍ଚତ୍ ୨ ଅପରାଧୀଙ୍କୁ କାବୁ କରିବା ପାଇଁ ଚେଷ୍ଟା କରିଥିଲେ। ପୋଲିସକୁ ଦେଖି ଅପରାଧୀମାନେ ଗୁଳି ଚଳାଇଥିଲେ। ଏହାର ଜବାବ ଦେବାକୁ ଯାଇ ପୁଲିସ ମଧ୍ୟ ଗୁଳି ଚଳାଇଥିଲା। ପୁଲିସ ଗୁଳିରେ ୨ ଅପରାଧୀ ଆହତ ହୋଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।