ଫେରିଲାଣି ଦୁଇତୃତୀୟାଂଶ ୨,୦୦୦ ଟଙ୍କିଆ ନୋଟ୍‌

ମୁମ୍ବାଇ,୨୬ା୬ : ମେ’ ୧୯ରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ବଜାରରେ ପ୍ରଚଳିତ ପ୍ରାୟ ୩.୨୬ ଲକ୍ଷ କୋଟି ଟଙ୍କାର ୨ ହଜାରିଆ ନୋଟ୍‌ ପ୍ରତ୍ୟାହାର ଘୋଷଣା କରିଥିଲା। ସେବେଠୁ ଅଦ୍ୟାବଧି ଏହାର ଦୁଇ-ତୃତୀୟାଂଶରୁ ଉର୍ଦ୍ଧ୍ୱ ୨,୦୦୦ ଟଙ୍କିଆ ନୋଟ୍‌ ବ୍ୟାଙ୍କଗୁଡ଼ିକୁ ଫେରିଲାଣି ବୋଲି ରବିବାର ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ଜୁନ୍‌ ୨ରେ ଚଳିତ ଆର୍ଥିକବର୍ଷର ଦ୍ୱିତୀୟ କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରା ନୀତି ସମୀକ୍ଷା ପରେ ୧.୮ ଲକ୍ଷ କୋଟିର ୨,୦୦୦ ଟଙ୍କିଆ ନୋଟ୍‌ (ସର୍କ୍ୟୁଲେଶନ୍‌ର ପ୍ରାୟ ଅଧା) ଫେରିଥିବା ସେ କହିଥିଲେ। ବର୍ତ୍ତମାନ ସୁଦ୍ଧା ଫେରିଥିବା ମୋଟ ନୋଟ୍‌ର ୮୫% ଜମା ଆକାରରେ ଆସିଥିବାବେଳେ ଅବଶିଷ୍ଟ ୧୫%କୁ ଲୋକେ ବ୍ୟାଙ୍କଗୁଡ଼ିକରେ ବଦଳାଇଛନ୍ତି। ଏହି ବଡ଼ ନୋଟ୍‌ର ବିନିମୟ/ଜମା ପାଇଁ ଶେଷ ତାରିଖ ହେଉଛି ୨୦୨୩ ସେପ୍ଟେମ୍ବର ୩୦। ଭାରତୀୟ ଅର୍ଥନୀତି କିମ୍ବା ମୁଦ୍ରାର ସ୍ଥିରତା ଉପରେ ଏହି ପ୍ରତ୍ୟାହାରର କୌଣସି ନକାରାମତ୍କ ପ୍ରଭାବ ପଡ଼ିବ ନାହିଁ ବୋଲି ଶକ୍ତିକାନ୍ତ ସ୍ପଷ୍ଟ କରିଛନ୍ତି।

 

Share