Categories: ଜାତୀୟ

ଧାରା ୩୭୦ ଉଚ୍ଛେଦର ଦୁଇ ମହା ନାୟକ

ନୂଆଦିଲ୍ଲୀ,୫।୮: ରାଜୀବ ଗୌବା ଏବଂ ଅଜୟ ଭଲ୍ଲା କେନ୍ଦ୍ର ସରକାରଙ୍କର ଟପ୍‌ ବ୍ୟୁରୋକ୍ରାଟଙ୍କ ମଧ୍ୟରେ ଅନ୍ୟତମ। କାହାଣୀ ପଛର ନାୟକ ପରି ଏମାନେ ହେଉଛନ୍ତି ଧାରା ୩୭୦ ଉଚ୍ଛେଦର ପ୍ରକୃତ ନାୟକ। କେନ୍ଦ୍ର ସରକାରଙ୍କ ସର୍ବୋଚ୍ଚ ଅମଲାତନ୍ତ୍ରରେ କ୍ୟାବିନେଟ ସଚିବ ରାଜୀବ ଗୌବା ଏବଂ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କ ସ୍ଥାନ ସ୍ବତନ୍ତ୍ର। କୁହାଯାଏ ମୋଦି ସରକାରଙ୍କର ରାଜନୈତିକ ଏଜେଣ୍ଡାରେ ସର୍ଟ ଲିଷ୍ଟେଡ ହୋଇଥିବା ଧାରା ୩୭୦ ଉଚ୍ଛେଦର ଏହି ଦୁଇଜଣ ହିଁ ସ୍କ୍ରିପ୍ଟ ରାଇଟର। ତାର ପୁରସ୍କାର ସ୍ବରପ ଅବସର ସମୟ ଗଡିଯିବା ପରେ ମଧ୍ୟ ଉଭୟଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଉଛି। ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ କଶ୍ମିରର ପରିସ୍ଥିତିର ମୁକାବିଲା ପାଇଁ ଦୁଇଜଣ ଆଗଧାଡିର କ୍ୟାଡର ରୂପେ କାମ କରିଥିଲେ। ତେବେ ମୋଦି ସରକାରଙ୍କ ସଙ୍କଟମୋଚନ ଭାବେ ଏହି ଦୁଇ ବ୍ୟୁରୋକ୍ରାଟସ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି।

କ୍ୟାବିନେଟ ସଚିବ ରାଜୀବଙ୍କ ତୃତୀୟ ଥର ପାଇଁ କାର୍ଯ୍ୟକାଳ ବଢିଥିବାବେଳେ ଗୃହ ସଚିବ ଅଜୟଙ୍କ ୪ର୍ଥ ପାଇଁ କାର୍ଯ୍ୟକାଳ ବଢିଛି। ରାଜୀବ ଝାଡଖଣ୍ଡ କ୍ୟାଡରର ୧୯୮୨ ମସିହାର ଆଇଏସ ଅଧିକାରୀ। ୨୦୧୯ରେ ସେ ଦୁଇ ବର୍ଷ ପାଇଁ କ୍ୟାବିନେଟ ସଚିବ ଭାବରେ ନିଯୁକ୍ତ ହୋଇଥିଲେ। ଏହାପୂର୍ବରୁ ସେ କେନ୍ଦ୍ର ଗୃହ ସଚିବ ଥିଲେ। ଜମ୍ମୁ କଶ୍ମିର ପୁନର୍ଗଠନ ଆଇନ ପ୍ରସ୍ତୁତ କରିବାରେ ରାଜୀବଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯେତେବେଳେ ସେ ଗୃହ ସଚିବ ଭାବରେ କାର୍ଯ୍ୟ କରୁଥିଲେ ସେ ଧାରା ୩୭୦ ହଟାଇବା ପାଇଁ ଏକ ବିଶେଷ ଡ୍ରାଫ୍ଟ ପ୍ରସ୍ତୁତ କରିଥିଲେ। ଏଥିସହ ଧାରା ୩୭୦ ଉଚ୍ଛେଦ ହେବା ପରେ ସେଠାକୁ ବିଭିନ୍ନ କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ ପାଇଁ କାର୍ଯ୍ୟସୂଚୀ ମଧ୍ୟ ପ୍ରସ୍ତୁତ କରିଥିଲେ।

ତେବେ କେନ୍ଦ୍ରୀୟ ସଚିବାଳୟ, ପିଏମଓ ଏବଂ ବିଭିନ୍ନ ମନ୍ତ୍ରଣାଳୟ ମଧ୍ୟରେ ଉତ୍ତମ ସମନ୍ବୟ ରଖିଥିବା ରାଜୀବଙ୍କୁ ଏବେ ତାଙ୍କ କାମ ପାଇଁ କେନ୍ଦ୍ର ସରକାର ପୁରସ୍କୃତ କରିଛନ୍ତି। ବର୍ତ୍ତମାନ ତାଙ୍କର ତୃତୀୟ ଥର ପାଇଁ କାର୍ଯ୍ୟକାଳ ସମ୍ପ୍ରସାରଣ କରାଯାଇଛି। ତେବେ ଅଗାମୀ ୩୦ ଅଗଷ୍ଟ ୨୦୨୪ରେ କ୍ୟାବିନେଟ ସଚିବ ଭାବେ ତାଙ୍କର କାର୍ଯ୍ୟକାଳ ଶେଷ ହେବ। ସେ ଦେଶରେ କ୍ୟାବିନେଟ ସଚିବ ଭାବେ ଦୀର୍ଘଦିନ ଧରି ରହିଥିବା ଅମଲାତନ୍ତ୍ର ଭାବରେ ପରିଚିତ ହେବେ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିଶ୍ୱସ୍ତ ଭାବେ ପରିଚିତ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା।
ସେ ଆସାମ-ମେଘାଳୟ କ୍ୟାଡରର ୧୯୮୪ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ଅଟନ୍ତି। ଅଗଷ୍ଟ ୨୦୧୯ରେ ସେ କେନ୍ଦ୍ର ଗୃହ ସଚିବ ଭାବେ ନିଯୁକ୍ତି ପାଇଥିଲେ। ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମିର ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ଅଜୟଙ୍କ ବଡ ହାତ ରହିଛି। ସେହିପରି ନକ୍ସଲ ପ୍ରଭାବିତ ଅଞ୍ଚଳ ଏବଂ ଉତ୍ତର ପୂର୍ବ ସମ୍ବନ୍ଧୀୟ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅଜୟ ନେଇଛନ୍ତି। ତେବେ ଅଜୟଙ୍କ କାର୍ଯ୍ୟକାଳ ନଭେମ୍ବର ୨୦୨୦ରେ ସରୁଥିବାବେଳେ ମୋଦି ସରକାର ଏହାକୁ ବଢାଇ ୨୨ ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ରଖିଥିଲେ। ଏହାପରେ ପୁଣି ତାଙ୍କର କାର୍ଯ୍ୟକାଳ ବଢାଯାଇ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ରହିଥିଲା। ବର୍ତ୍ତମାନ ତାଙ୍କର ଚତୁର୍ଥ ଥର ସେବା ସମ୍ପ୍ରସାରଣ କରାଯାଇ କାର୍ଯ୍ୟକାଳ ଅବଧିକୁ ୨୨ ଅଗଷ୍ଟ ୨୦୨୪ ଯାଏଁ ରଖାଯାଇଛି।

 

Share