ମୌଳିକ ସୁବିଧା ନ ମିଳିବାରୁ ଭୋଟ ଦେଲୁନାହିଁ

ନବରଙ୍ଗପୁର,୧୯।୨(ବି.ପ୍ର.): ଭୋଟ ବର୍ଜନ କଲେ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ପଞ୍ଚାୟତ ଅଧୀନ ୧୪ନମ୍ବର ୱାର୍ଡ ଲଦିପଦର ଓ ବରଡ଼ାଯୋଡ଼ି ଗ୍ରାମବାସୀ। ମୌଳିକ ସୁବିଧା ପାଉ ନ ଥିବା ଅଭିଯୋଗ କରି ଗ୍ରାମବାସୀ ଭୋଟ ବର୍ଜନ କରଛନ୍ତି।

ଶିକ୍ଷା, ପାନୀୟଜଳ ଓ ଗମନାଗମନ ସୁବିଧା ପାଉ ନ ଥିବା ନେଇ ଲଦିପଦର ଓ ବରଡ଼ାଯୋଗୀ ଗ୍ରାମବାସୀ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଥିଲେ। ଲଦିପଦର ଓ ବରଡ଼ାଯୋଡ଼ି ଗ୍ରାମଟି ତେନ୍ତୁଳଖୁଣ୍ଟି ବ୍ଲକ ସଦର ମହକୁମା ପଞ୍ଚାୟତ ମଧ୍ୟରେ ଆସୁଥିଲେ ମଧ୍ୟ ଗ୍ରାମକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ। ସେଠାକୁ ଯିବାକୁ ହେଲେ ପାହାଡ଼ିଆ ଅଞ୍ଚଳର ପଥର ରାସ୍ତା। ପାଦରେ ଚାଲିଚାଲି ଗଲେ ମଧ୍ୟ ଅସୁବିଧା ହେଉଛି। ଏଠାକାର ଲୋକେ ସ୍ବାସ୍ଥ୍ୟସେବା ପାଇବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି। ବରଡ଼ାଯୋଡ଼ି ଗାଁରେ ସ୍କୁଲଟିଏ ନାହିଁ। ଉକ୍ତ ଦୁଇ ଗ୍ରାମକୁ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ହୋଇନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ପୋଲିଂ ପାର୍ଟି ଓ ତେନ୍ତୁଳିଖୁଣ୍ଟି ବିଡିଓ ଦୁର୍ଯ୍ୟୋଧନ ଭୋଇ ବରଡ଼ାଯୋଡ଼ି ଗ୍ରାମରେ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିଥିଲେ। ଶୁକ୍ରବାର ପୋଲିଂ ପାର୍ଟି ସମସ୍ତ ପ୍ରକାର ପ୍ରସ୍ତୁତି କରି ଭୋଟରଙ୍କୁ ଜଗି ରହିଥିବାବେଳେ କେହି ଜଣେ ହେଲେ ମଧ୍ୟ ଏଠାକୁ ଭୋଟ ଦେବାକୁ ଆସି ନ ଥିଲେ। ଏହି ୨ ଗ୍ରାମରେ ୧୮୨ ଜଣ ଭୋଟର ଅଛନ୍ତି।

Share