ଅନ୍ତିମ ସତ୍କାରକୁ ନେଇ ଦୁଇ ଗ୍ରାମବାସୀ ମୁହାଁମୁହିଁ

ମୋରଡା,୧୫।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିଦପୁର ବ୍ଲକ ଅଧୀନ ରାସଗୋବିଦପୁର ପଞ୍ଚାୟତରେ ଶୁକ୍ରବାର ଅନ୍ତିମ ସତ୍କାରକୁ କେନ୍ଦ୍ର କରି ସାରମୂଳା ପଞ୍ଚାୟତ ଓ ରାସଗୋବିଦପୁର ପଞ୍ଚାୟତର ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି l

ମିଳିଥିବା ସୂଚନା ମୁତାବକ, ରାସଗୋବିଦପୁର ପଞ୍ଚାୟତର କନ୍ଦ୍ରା ନାଏକଙ୍କ ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଥିଲା। ତେବେ ପୂର୍ବପୁରୁଷରୁ ପୋଡ଼ା ହେଉଥିବା ସାରୁମୂଳା ପଞ୍ଚାୟତର ଜମ୍ଭୀରା ନଦୀ ଘାଟରେ ପରିବାର ଲୋକେ ମୃତଦେହ ଧରି ପହଞ୍ଚିଥିଲେ।

ହେଲେ ସାରମୂଳା ମୌଜା ଗ୍ରାମବାସୀ ସେଠାରେ ଅନ୍ତିମ ସତ୍କାର କରିବାକୁ ବିରୋଧ କରିଥିଲେ। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ରାସଗୋବିଦପୁର ଗ୍ରାମବାସୀ ରାସ୍ତାରେ ମୃତଦେହ ରଖି ରାସ୍ତାରୋକୋ କରିଥିଲେ। ଫଳରେ ଜଳେଶ୍ବର-ବାରିପଦା ମୁଖ୍ୟ ରାସ୍ତାରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିଲା। ଦୀର୍ଘ ୨ ଘଣ୍ଟାରୁ ଅଧିକ ସମୟ ଗାଡିଗୁଡିକ ରାସ୍ତାରେ ଛିଡ଼ା ହୋଇରହିଥିଲା। ଖବର ପାଇ ଘଟଣାସ୍ଥଳରେ ରାସଗୋବିଦପୁର ପୋଲିସ, ରାସଗୋବିଦପୁର ତସିଲଦାର ଓ ଆର୍‌ଆଇ ପହଞ୍ଚି ଲୋକଙ୍କୁ ବୁଝାଶୁଝା ପରେ ସମ୍ପୃକ୍ତ ସ୍ଥାନରେ ଅନ୍ତମ ସତ୍କାର ହୋଇଥିଲା।

Share