ଦୁଇ ଗାଁ ଜଳବନ୍ଦୀ

ବାଲିଆପାଳ, ୨୦।୮(ସ୍ବ.ପ୍ର)- ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜଳବନ୍ଦୀ ହୋଇ ଲୋକମାନେ ଜୀବନଯାପନ କରୁଛନ୍ତି। ଘରୁ ପଦାକୁ ବାହାରିଲେ ଆଣ୍ଠୁଏ ଜଳରେ ଯିବାକୁ ପଡୁଛି ତ’ କେଉଁଠି ପ୍ରଧାନମନ୍ତ୍ରୀ ସଡ଼କ ଉପରେ ଆଣ୍ଠୁଏରୁ ଅଧିକ ଜଳରେ ପାରି ହୋଇ ପିଇବା ପାଣି ଆଣିବା ସହିତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ମାର୍କେଟ୍‌କୁ ଯିବାକୁ ପଡୁଛି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲିଆପାଳ ବ୍ଲକ ଅନ୍ତର୍ଗତ ମଧୁପୁରା ଗ୍ରାମପଞ୍ଚାୟତର ଚରବସ୍ତକାଳରୁଇ ଏବଂ ଚୌଧୁରୀ କୁଦରେ। ଦୁଇ ଗ୍ରାମରେ ଜଳ ନିଷ୍କାସନ ହୋଇ ନ ପାରିବାରୁ ନାହିଁ  ନଥିବା ଅସୁବିଧା ସହିତ ବର୍ଷା ଜଳରେ ଉବୁଟୁବୁ ହେଉଛନ୍ତି ଗ୍ରାମବାସୀ।
ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଉଚ୍ଚା ହୋଇଯିବାରୁ ଦୁଇ ଗାଁର ମଝି ଅଂଶ ଖାଲୁଆ ହୋଇଯାଇଥିଲା। ଫଳରେ ଗାଁ ମଝିରେ ବର୍ଷା ଜଳ ଜମି ରହିଛି। ଏହାଛଡ଼ା ରାସ୍ତା ନିର୍ମାଣ ସମୟରେ ଜଳ ନିଷ୍କାସନ ପାଇଁ କୌଣସି ଡ୍ରେନ୍‌ ପ୍ରତି ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ନ ଦେଇ ରାସ୍ତା ନିର୍ମାଣ କରାଇଥିଲେ। ପୂର୍ବରୁ ଜଳ ନିଷ୍କାସନ ଲୋକମାନଙ୍କର ବ୍ୟକ୍ତିଗତ ଜମି ଦେଇ ହେଉଥିଲା। ମାତ୍ର ପକ୍କା ରାସ୍ତା ହେବା ପରେ ଲୋକମାନେ ରାସ୍ତା ପାଖରେ ମାଟି ପକାଇ ଉଚ୍ଚା କରି ଘର ନିର୍ମାଣ କରିଦେବାରୁ ଜଳ ନିଷ୍କାସନ ହୋଇ ନ ପାରି ରାସ୍ତା ସହିତ ଉଭୟ ଗାଁ ମଝିରେ ବର୍ଷା ଜଳ ଜମିରହିଛି। ଯାତାୟାତରେ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ଗ୍ରାମବାସୀ ଏ ସମ୍ପର୍କରେ ମଧୁପୁରା ଗ୍ରାମପଞ୍ଚାୟତର ସରପଞ୍ଚ ଦୋଳଗୋବିନ୍ଦ ମୁର୍ମୁଙ୍କୁ ଜଣାଇଥିଲେ। ସେ ଏହି ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏଯାବତ୍‌ ସରପଞ୍ଚ କିମ୍ବା ପ୍ରଶାସନ ତରଫରୁ କିଛି ପଦକ୍ଷେପ ନ ନେବାରୁ ଲଘୁଚାପ ବର୍ଷାରେ ଦୁଇ ଗାଁର ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ନ କଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବାର ଚେତାବନୀ ଦେଇଛନ୍ତି। ଏସମ୍ପର୍କରେ ଉନ୍ନୟନ ବିଭାଗର ଏସ୍‌ଡିଓ ସୌଭାଗ୍ୟ ଦାସଙ୍କୁ ପଚାରିବାରୁ ଗ୍ରାମବାସୀଙ୍କୁ ଦରଖାସ୍ତ ଦେବା ପାଇଁ କହିବା ସହିତ ଫଣ୍ଡ ଆସିଲେ ଡ୍ରେନ୍‌ର ବ୍ୟବସ୍ଥା କରାଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।