ନାଗାବଳୀରେ ଲୀନହେବ ୨ ଗାଁ

ରାୟଗଡ଼ା ଅଫିସ,୨୦ା୧୦: ନାଗାବଳୀ ନଦୀର କରାଳ ରୂପରେ ରାୟଗଡ଼ା ଜିଲା ସଦର ବ୍ଲକ ବାଇସିଂ ପଞ୍ଚାୟତ ଅନ୍ତର୍ଗତ ନଦୀ ମୁହାଣରେ ଅବସ୍ଥାପିତ ଦୁଇଟି ଗାଁ ଲୀନହେବାକୁ ଯାଉଛି। ଗତ ସପ୍ତାହକ ମଧ୍ୟରେ ନଦୀ କୂଳ ଖାଇ ମାରିଗୁଡ଼ା ଗ୍ରାମର ଅନେକ ଚାଷଜମି ନଦୀରେ ମିଶିଯିବା ସହ ଗାଁ ମୁଣ୍ଡରେ ଏକ ବିରାଟ ଘାଇ ସୃଷ୍ଟି ହୋଇଛି। ସେହିପରି ଧୂମାଗୁଡ଼ା ଗାଁ ମଧ୍ୟ ବିପଦରେ ରହିଛି। ନଦୀରେ ଆଡ଼ିବନ୍ଧ ନିର୍ମାଣ ସହ ଲେକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦୁଇ ଗାଁର ଲୋକେ ୫ ବର୍ଷ ହେଲା ଦାବିକରି ଆସୁଥିଲେ ମଧ୍ୟ ସୁଫଳ ମିଳିନାହିଁ। ପୁଣି ଜିଲାପାଳଙ୍କୁ ଦାବିପତ୍ର ଦେଇ ସମସ୍ୟା ଜଣାଇବାକୁ ବୁଧବାର ବାଇସିଂ ପଞ୍ଚାୟତବାସୀ ଗ୍ରାମସଭା କରି ନିଷ୍ପତ୍ତି ନେଇଛନ୍ତି। ସପ୍ତାହ ମଧ୍ୟରେ ଦାବି ପୂରଣ ନ ହେଲେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନରେ ବସିବାକୁ ସ୍ଥିର କରିଛନ୍ତି।

ଜିଲାପାଳ କିମ୍ବା ନେତା କେହି ମଧ୍ୟ ସମସ୍ୟାର ସମାଧାନ ନେଇ ଗୁରୁତ୍ୱ ଦେଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବାରମ୍ବାର ଦାବି ପରେ ନିରାଶ ହୋଇ ପଞ୍ଚାୟତବାସୀ ବୁଧବାର ସରପଞ୍ଚଙ୍କ ନେତୃତ୍ୱରେ ପୁଣି ଏକାଠି ହୋଇ ସମାଧାନର ଚିନ୍ତା କରିଛନ୍ତି। ଜନ ପ୍ରତିନିଧିଙ୍କ ନୀରବତାକୁ ନେଇ ଅସନ୍ତୋଷ ପ୍ରକାଶ କରି ଆଗାମୀ ଦିନରେ ସାମୂହିକ ପ୍ରଶ୍ନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।