ଡେରାବିଶ, ୧୦ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକରେ ସପ୍ତାହକ ତଳେ ପାନୀୟ ଜଳ ସମସ୍ୟାକୁ ନେଇ ବ୍ଲକ ଅଧ୍ୟକ୍ଷା ପ୍ରଭାତୀ ମଲ୍ଲିକ ଏକ ସ୍ବତନ୍ତ୍ର ବୈଠକ ଡାକି ଏହାର ଆଶୁ ସମାଧାନ ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସବୁ ସମସ୍ୟା ଦୁଇଦିନ ଭିତରେ ସମାଧାନ ହୋଇଯିବ ବୋଲି କହି ଉପସ୍ଥିତ ଥିବା ଲୋକପ୍ରତିନିଧିଙ୍କୁ ବ୍ଲକରେ ଥିବା ଯନ୍ତ୍ରୀ ଦ୍ୱୟ ଆଶ୍ୱାସନା ଦେଇଥିଲେ। ଇତିମଧ୍ୟରେ ସପ୍ତାହେ ବିତିଯାଇଥିଲେ ମଧ୍ୟ ପାନୀୟଜଳ ସମସ୍ୟାର ଆଦୌ ସମାଧାନ ହୋଇ ପାରିନାହିଁ। ଠାକୁରହାଟଠାରେ ଥିବା ଓଭରହେଡ୍ ଟାଙ୍କିରେ ପାଣି ବୁନ୍ଦାଏ ନ ଥିବାବେଳେ ଏହାକୁ ମରାମତି ଓ ରଙ୍ଗ କରିବା ବାବଦରେ ବାର୍ଷିକ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଉଛି।
ଦୀର୍ଘ ମାସେ ହେବ କେନ୍ଦ୍ରାପଡ଼ା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ଅପାରଗତା ପାଇଁ ବ୍ଲକରେ ପାନୀୟ ଜଳ ସମସ୍ୟା ଦିନକୁଦିନ ଉତ୍କଟ ହେବାରେ ଲାଗିଛି। ବ୍ଲକ ଅଧୀନ ଗୁଆଳସିଂ ଓ କୁଶିଆପଳ ପଞ୍ଚାୟତର ବିଭିନ୍ନ ଗ୍ରାମ ସମେତ ଅନ୍ୟ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ପାନୀୟ ଜଳ ଲୋକଙ୍କୁ ଯୋଗାଇବା ପାଇଁ ବିଭାଗ ପକ୍ଷରୁ ଗୁଆଳସିଂ ପଞ୍ଚାୟତ ଠାକୁରହାଟଠାରେ ଏକ ଓଭରହେଡ ଟାଙ୍କି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇ ପାନୀୟ ଜଳଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଥିଲା। ମାତ୍ର ଦୀର୍ଘ ବର୍ଷ ହେବ ଓଭରହେଡ୍ ଟାଙ୍କିକୁ ପାଣି ନ ଉଠିବା ଯୋଗୁ ପଞ୍ଚାୟତର ବହୁ ୱାର୍ଡବାସୀ ପାନୀୟଜଳ ପାଇବାରୁ ବଞ୍ଚତ୍ତ ହେଉଛନ୍ତ। ଏ ବିଷୟରେ ଉଭୟ ଗୁଆଳସିଂ ଓ କୁଶିଆପାଳ ପଞ୍ଚାୟତବାସୀଙ୍କ ପକ୍ଷରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଏ ନେଇ କୌଣସି ପଦକ୍ଷେପ ନିଆଯାଇନାହିଁ। ମାର୍ଚ୍ଚ ମାସଠାରୁ ଏଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି। ଗ୍ରାମଗୁଡ଼ିକରେ ଥିବା ଅଗଭୀର ନଳକୂପରୁ ଆଇରନ୍ଯୁକ୍ତ ପାଣି ବାହାରୁ ଥିବାରୁ ବିଶୁଦ୍ଧ ପାଣି ଟୋପାଏ ପାଇଁ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି। ବ୍ଲକ ଅଧୀନ ଇନ୍ଦାଳୋ, ଚାଟରାଚକଡ଼ା, ବେଣୀପୁର, ରତାଦିଆଖଣ୍ଡସାହି ସମେତ ଅନ୍ୟ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ବ୍ଲକରେ ଥିବା ବିଭାଗୀୟ କନିଷ୍ଠଯନ୍ତ୍ରୀ ବିଭୁଦତ୍ତ ଦାସ ଓ ଦେବାଶିଷ ଧଳ ସବୁ ଜାଣି କୌଣସି ପଦକ୍ଷେପ ନେଉନାହାନ୍ତି। ଯେତେ ଅଭିଯୋଗ ହେଉଥିଲେ ମଧ୍ୟ ଯନ୍ତ୍ରୀଦ୍ୱୟ କେବଳ ଲୋକଙ୍କୁ ଆଶ୍ୱାସନା ଦେଇ ବିଦା କରିଛନ୍ତି। ବିଶେଷକରି ଗୁଆଳସିଂ ପାନୀୟଜଳ ସମସ୍ୟା ସମ୍ପର୍କରେ ସରପଞ୍ଚ ମଧୁସ୍ମିତା ଦାସ ପଞ୍ଚାୟତ ସମିତିରେ ବାରମ୍ବାର ଅଭିଯୋଗ ଆଣିଥିଲେ। ଏଯାଏ ତା’ର କୌଣସି ସମାଧାନ ହୋଇ ନ ଥିବାରୁ ସପ୍ତାହକ ମଧ୍ୟରେ ପାନୀୟ ଜଳ ସମସ୍ୟାର ଯଦି ସମାଧାନ ନ ହୁଏ ସେ ବିଭାଗୀୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଅପରପକ୍ଷରେ ଏ ସମ୍ପର୍କରେ ବିଭାଗୀୟ କନିଷ୍ଠଯନ୍ତ୍ରୀ ଧଳଙ୍କୁ ପଚାରିବାରୁ ଏଭଳି ଅଭିଯୋଗ ମୋ ପାଖରେ ପହଞ୍ଚତ୍ ନାହିଁ। ଅଭିଯୋଗ ପହଞ୍ଚତ୍ବା ପରେ କେଉଁ ଗାଁ ରେ ପାଣି ପହଞ୍ଚୁନି ସେ ସ୍ଥିତି ପରଖିବେ ବୋଲି କହିଥିଲେ।