ରାଞ୍ଚି, ୩୧ା୮: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚି ଉପକଣ୍ଠ ଓର୍ମାଞ୍ଝି ଥାନା ଅଧୀନ ଝାଞ୍ଝି ଟୋଲା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ୨ଜଣ ମହିଳାଙ୍କ ସମେତ ୩ଜଣଙ୍କୁ ପ୍ରାୟ ୧୦ଜଣ ବ୍ୟକ୍ତି ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି।
ସୂଚନା ଯୋଗ୍ୟ, ମୃତକଙ୍କ ପରିବାରର ଘୁଷୁରି ଜଣେ ସମ୍ପର୍କୀୟଙ୍କ ଫସଲ ନଷ୍ଟ କରିଦେଇଥିଲା। ଏଥିରେ ସମ୍ପର୍କୀୟଙ୍କ ପରିବାର ଲୋକେ ଉତ୍କ୍ଷିପ୍ତ ହୋଇ ପରିବାର ଲୋକଙ୍କୁ ଅମାନୁଷିକ ଭାବେ ଆକ୍ରମଣ କରିଥିବା ରାଞ୍ଚି ଗ୍ରାମାଞ୍ଚଳ ଏସ୍ପି ହରିଶ ବିନ୍ ଜମନ କହିଛନ୍ତି। ମୃତକ ହେଲେ ଜନେଶ୍ୱର ବେଡିଆ(୪୨), ସରିତା ଦେବୀ(୩୯), ସଞ୍ଜୁ ଦେବୀ(୨୫)।
ଅନ୍ୟପକ୍ଷେ ପୋଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ହେଲେ ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଆକ୍ରମଣକାରୀଙ୍କୁ ଧରିବା ପାଇଁ ପୋଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ତନାଘନା ଚଳାଇଛି।