ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରି ୨ ମହିଳା ଗୁରୁତର

ଝାରସୁଗୁଡ଼ା ଅଫିସ୍‌,୪।୩: ସ୍ବାସ୍ଥ୍ୟ ବିଭାଗ ତରଫରୁ ଝାରସୁଗୁଡ଼ା ଜିଲା ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମହିଳାଙ୍କ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଯାଇଥିଲ। ଏଥିରେ ତ୍ରୁଟି ଦେଖାଦେବାରୁ ୨ଜଣ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଛି। ସେମାନେ ଏବେ ଚିକିତ୍ସାଧୀନ ଅଛନ୍ତି। ମହିଳାଦ୍ୱୟ ହେଲେ କନକତୋରା ପଞ୍ଚାୟତ କୁହାକୁଣ୍ଡା ଗ୍ରାମର ଜିତେନ ଭୋଇଙ୍କ ସ୍ତ୍ରୀ ସରିତା ଓ ପଲସଦା ପଞ୍ଚାୟତ ନାଚେନମୁରା ଗ୍ରାମର ଜୟ କୁମାର ଗୁପ୍ତାଙ୍କ ସ୍ତ୍ରୀ ଅରୁଣା।
ସୂଚନା ଅନୁଯାୟୀ ଗତ ୨୩ତାରିଖରେ ଅରୁଣାଙ୍କ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ହୋଇଥିଲା। ଏହାର ୭ଦିନ ପରେ ସେ ସିଲେଇ ଖୋଲିବା ପାଇଁ ଡାକ୍ତରଖାନା ଆସିଥିଲେ। ଏହି ସମୟରେ ତାଙ୍କ ପେଟରୁ ଅନ୍ତନଳୀ ବାହାରକୁ ବାହାରି ପଡିଥିଲା। ଫଳରେ ସେ ଗୁରୁତର ହୋଇପଡିଥିଲେ। ଏଭଳି ଅବସ୍ଥାରେ ଡାକ୍ତର ପୁଣି ସିଲେଇ କରିଥିଲେ। ଏବେ ସେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେହିଭଳି ସରିତା ଗତ ମଙ୍ଗଳବାର ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଇଥିଲେ। ଏହି ସମୟରେ ତାଙ୍କର ପ୍ରବଳ ରକ୍ତସ୍ରାବ ହୋଇଥିଲା। ଏପରି କି ଏହା ବନ୍ଦ ହୋଇ ନ ଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁଧବାର ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି ସ୍ବାମୀ ଜିତେନ କହିଛନ୍ତି। ସେ ଅଭିଯୋଗ କରିଛନ୍ତି, ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ସରିତାଙ୍କ ଖାଦ୍ୟନଳୀ କଟିଯାଇଛି। ଏଭଳି ତ୍ରୁଟି ଅକ୍ଷମଣୀୟ। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ସରିତା ଆରୋଗ୍ୟ ହେଲା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବିଭାଗ ସମସ୍ତ ଚିକିତ୍ସାଖର୍ଚ୍ଚ ବହନ କରୁ ବୋଲି ସେ ଦାବି କରିଛନ୍ତି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସକ ଡା. ଲାଲା ମୋହନ ରାଉତରାୟ ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Share