ରାସ୍ତା ଉପରେ ୨ ଯୁବତୀଙ୍କୁ ଛୁରାମାଡ଼

ବୋଡେନ,୫।୧୧(ଡି.ଏନ.ଏ.): ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ସ୍ଥାନୀୟ ଇମ୍ପେରିଆଲ ଇଂଲିଶ ମିଡିୟମ ସ୍କୁଲ ନିକଟରେ ୨ ଯୁବତୀଙ୍କୁ ଛୁରାମାଡ଼ ହୋଇଛି। ଏଥିରେ ବୋଡେ୍‌ନ ଥାନା ଅଧୀନ ଚିକଲଚୁଆଁ ଗାଁର ଚନ୍ଦ୍ରିକା ମାଝି (୨୪) ଓ ତାଙ୍କ ସାଙ୍ଗ ପ୍ରେମଲତା ଜଗତି(୨୨) ଗୁରୁତର ହୋଇଛନ୍ତି। ଉଭୟଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ କେଉଁ କାରଣରୁ ଏପରି ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ବୋଡେନ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଲଳିତ ନାଏକଙ୍କୁ ପୋଲିସ ଅଟକ ରଖିଛି।
ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦ୍ରିକା ଓ ପ୍ରେମଲତା ଦିନ ପ୍ରାୟ ୧୦ଟା ସମୟରେ ସାଇକେଲରେ ବୋଡେନ ଗାଁ ପାଖରେ ଥିବା ଦୋକାନକୁ ଡ୍ରେସ କିଣିବାକୁ ଯାଇଥିଲେ। ଡ୍ରେସ କିଣି ସାରିବା ପରେ ଦୁହେଁ ସ୍ଥାନୀୟ ଏକ ଦୋକାନକୁ ଫ୍ୟାନ୍ସି ସାମଗ୍ରୀ କିଣିବାକୁ ଯାଇଥିଲେ। ଏହି ସମୟରେ ବୋଲରଗାଁ ଗ୍ରାମର ଲଳିତ ନାଏକ ସେମାନଙ୍କ ପାଖକୁ ଆସି ଚନ୍ଦ୍ରିକାଙ୍କୁ ୨ଶହ ଟଙ୍କା ମାଗିଥିଲେ। ଏହାକୁ ଚନ୍ଦ୍ରିକା ଓ ପ୍ରେମଲତା ବିରୋଧ କରିଥିଲେ। ହେଲେ ଲଳିତ ସେମାନଙ୍କୁ ଗାଳିଗୁଲଜ କରିବା ସହ ଟଙ୍କା ନ ଦେଲେ ଦୁହିଁଙ୍କୁ ଜୀବନରୁ ମାରିଦେବି ବୋଲି ଧମକ ଦେଇଥିଲେ। ଏଥିରେ ଭୟଭୀତ ହୋଇ ଚନ୍ଦ୍ରିକା ତାଙ୍କୁ ୨ଶହ ଟଙ୍କା ଦେଇ ସେଠାରୁ ପଳାଇ ଆସିଥିଲେ। ଏହାର କିଛି ସମୟ ପରେ ଚନ୍ଦ୍ରିକା ଓ ପ୍ରେମଲତା ସାଇକେଲରେ ଘରକୁ ଫେରୁଥିବା ବେଳେ ଲଳିତ ଏକ ବାଇକ୍‌ରେ ଆସି ରାସ୍ତା ମଝିରେ ଉଭୟଙ୍କୁ ଅଟକାଇଥିଲେ। ଏହାପରେ ସେ ଚନ୍ଦ୍ରିକାଙ୍କୁ ଲକ୍ଷ୍ୟ କରି ଗାଳିଗୁଲଜ କରିବା ସହ ତାଙ୍କୁ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ। ପ୍ରେମଲତା ଏହାର ପ୍ରତିବାଦ କରିବାରୁ ଲଳିତ ପାଖରେ ରଖିଥିବା ଏକ ଛୁରି ବାହାର କରି ଉଭୟଙ୍କୁ ଆକ୍ରମଣ କରିଥିଲେ।
ଚନ୍ଦ୍ରିକାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୧୫୦/୨୦) ରୁଜୁ କରିବା ସହ ତନଘନା ଚଳାଇଛି। କେଉଁ କାରଣକୁ ନେଇ ଲଳିତ ଉଭୟ ଯୁବତୀଙ୍କୁ ଆକ୍ରମଣ କଲେ ତା’ର ତଦନ୍ତ ଚାଲିଥିବା ପୋଲିସ କହିଛି।

Share