ବ୍ରିଟେନରେ ସବୁଠୁ ମହଙ୍ଗା ଘର କିଣିଲେ ଏହି ଭାରତୀୟ ବ୍ୟକ୍ତି

ନୂଆଦିଲ୍ଲୀ,୨୪।୭: ବ୍ରିଟେନର ରାଜଧାନୀ ଲଣ୍ଡନ ଦୀର୍ଘ ଦିନରୁ ଭାରତୀୟ କୋଟିପତିଙ୍କ ପ୍ରିୟ ସହର ହୋଇଆସୁଛି। ଷ୍ଟିଲ କିଙ୍ଗ୍‌ ଲକ୍ଷ୍ମୀ ମିତ୍ତଲଙ୍କ ସହ ବେଦାନ୍ତର ଅନିଲ ଅଗ୍ରୱାଲଙ୍କ ପରି କୋଟିପତିଙ୍କ ଲଣ୍ଡନରେ ଘର ଅଛି। ଏହି କ୍ରମରେ ଭାରତୀୟ ବ୍ୟବସାୟୀ ତଥା ଏସାର ଗ୍ରୁପର ସହ-ପ୍ରତିଷ୍ଠାତା ରବି ରୁଇଆଙ୍କ ନାମ ଯୋଡି ହୋଇଛି।
ରବି ଲଣ୍ଡନର ବକିଙ୍ଗହମ ପ୍ୟାଲେସ ନିକଟରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା ପ୍ରାୟ ୧୨୦୦ କୋଟି ଟଙ୍କା (୧୧୩ ନିୟୁତ ୟୁରୋ)ରେ କିଣିଛନ୍ତି। ଏହି ଡିଲ ଗତ କିଛି ବର୍ଷ ମଧ୍ୟରେ ଲଣ୍ଡନରେ ସବୁଠାରୁ ବଡ ପ୍ରପର୍ଟି ଡିଲ୍‌ରେ ପରିଣତ ହୋଇଛି। ରବି କିଣିଥିବା ପ୍ରପର୍ଟିର ନାମ ହେଉଛି ହାନୋଭର ଲଜ। ଏହି ଘର ଲଣ୍ଡନର ୧୫୦ ପାର୍କ ରୋଡରେ ଅବସ୍ଥିତ। ଏହାର ସାମ୍ନାରେ ରେଜିଣ୍ଟ ପାର୍କ ଅଛି ।
୧୯୪୯ରେ ଜନ୍ମ ହୋଇଥିବା ରବି ଜଣେ ମେକାନିକାଲ ଇଞ୍ଜିନିୟର। ସେ ଚେନ୍ନାଇର କଲେଜ ଅଫ ଇଞ୍ଜିନିୟରିଂରୁ ଡିଗ୍ରୀ ହାସଲ କରିଛନ୍ତି। ରବି ପାରିବାରିକ ବ୍ୟବସାୟରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ ଏବଂ ତାଙ୍କ ବଡ଼ ଭାଇ ଶଶି ରୁଇଆଙ୍କ ସହ କମ୍ପାନୀକୁ ଆଗକୁ ନେଇଥିଲେ। ଉଭୟ ଭାଇ ମିଳିତ ଭାବେ ଏସାର ଗ୍ଲୋବାଲ ଫଣ୍ଡ ଲିମିଟେଡ ପ୍ରତିଷ୍ଠା କରିଥିଲେ। ଏହା ଏସର କ୍ୟାପିଟାଲ ଲିମିଟେଡ ଦ୍ୱାରା ପରିଚାଳିତ। ୨୦ରୁ ଅଧିକ ଦେଶରେ ଏହା କାର୍ଯ୍ୟ କରୁଛି। ୭୫ ହଜାରରୁ ଅଧିକ କର୍ମଚାରୀଙ୍କ ଏହି କମ୍ପାନୀରେ କାର୍ଯ୍ୟ କରୁଛନ୍ତି।

Share