ଲଣ୍ଡନ,୨୯।୫: ଭାରତୀୟ ଦଳର ଉଇକେଟକିପର୍ ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କ ପ୍ରଶଂସକ ଢ଼େର ଅଧିକ। କାରଣ ସେ ଏଭଳି ଜଣେ ବ୍ୟାଟ୍ସମ୍ୟାନ ଯିଏ ବିରୋଧି ବୋଲର୍ଙ୍କ ଉପରେ ଚାପ ପକାଇ ଖେଳିବାକୁ ପସନ୍ଦ କରନ୍ତି। ପନ୍ତଙ୍କ ଏଭଳି ଆକ୍ରାମକ ବ୍ୟାଟିଂ ଯୋଗୁ ଟେଷ୍ଟ କ୍ରିକେଟକୁ ଦେଖିବାକୁ ପସନ୍ଦ କଲେଣି ଟାୟମଲ ମିଲ୍ସ। କ୍ରିକେଟର ଏହି ଲମ୍ବା ଫର୍ମାଟର ମ୍ୟାଚ୍ ଦେଖିବାକୁ ତାଙ୍କୁ ପସନ୍ଦ ନ ଥିଲେ ହେଁ ଏବେ ତାଙ୍କ ରୂଚି ବଦଳିଯାଇଛି।
ଟାୟମଲ ପନ୍ତଙ୍କ ପ୍ରଶଂସାରେ କହିଛନ୍ତି, ପନ୍ତ ଯେତେବେଳେ ପଡ଼ିଆକୁ ଆସନ୍ତି, ସେ ସେତେବେଳେ ଟେଲିଭିଜନ ପରଦା ଆଗରେ ଟେଷ୍ଟ ମ୍ୟାଚ୍ ଦେଖିବାକୁ ବସିପଡ଼ନ୍ତି। ତାଙ୍କ କାରଣରୁ ଟେଷ୍ଟ କ୍ରିକେଟ ଏବେ ବକ୍ସ ଅଫିସ ହିଟ୍ ହୋଇଛି। ଲୋକମାନଙ୍କୁ ଟେଷ୍ଟ ଦେଖିବାକୁ ବାଧ୍ୟ କରିବାର କ୍ଷମତା ପନ୍ତଙ୍କ ପାଖରେ ରହିଛି ବୋଲି ସେ କହିଛନ୍ତି।
ଏହାଛଡ଼ା ସେ ନିଜର କ୍ରିକେଟ ନେଇ କହିଛନ୍ତି, ମୁଁ କେବଳ ଧଳା ବଲ୍ କ୍ରିକେଟ ଖେଳେ। ଆହତ ସମସ୍ୟା ଯୋଗୁ ୪ ଦିନ ଚାଲିବାକୁ ଥିବା ମ୍ୟାଚ୍ ଖେଳେନାହିଁ। ହେଲେ ପନ୍ତଙ୍କୁ ଦେଖିବା ପରେ ମ୍ୟାଚ୍ ଦେଖିବାକୁ ଇଚ୍ଛା ହୋଇଥାଏ। ସେ ବହୁତ ଭଲ ପାଳି ଖେଳିଛନ୍ତି। ଚଳିତ ବର୍ଷ ଖେଳାଯାଇଥିବା ଭାରତ-ଇଂଲଣ୍ଡ ଟେଷ୍ଟରେ ସେ ଭରପୂର ଆନନ୍ଦ ଉଠାଇଥିବା କହିଛନ୍ତି।