ତାଣ୍ଡବ ରଚିପାରେ ଘୂର୍ଣ୍ଣିଝଡ଼ ‘ହାଇସେନ୍‌’: ଜାପାନରେ ହାଇ ଆଲର୍ଟ ଜାରି

ଟୋକିଓ,୬।୯: ଦକ୍ଷିଣ ଜାପାନର ସକିନାଓ୍ବା ଦ୍ୱୀପ ଆଡକୁ ମୁହାଁଉଥିବା ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ‘ହାଇସେନ୍‌’ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହେବା ଆଶଙ୍କା କରାଯାଇ ସେଠାକାର ଲୋକଙ୍କୁ ସତର୍କ କରାଯାଇଛି। ଜାପାନ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଘୂର୍ଣ୍ଣିଝଡ଼ ‘ହାଇସେନ୍‌’ ଜାପାନରେ ତାଣ୍ଡବ ରଚିପାରେ। ଏଥିପାଇଁ ଜାପାନ ସରକାର ୨୨,୦୦୦ ସେନା ମୁତୟନ କରିଛନ୍ତି। ସମସ୍ତଙ୍କ ପାଇଁ ହାଇ ଆଲର୍ଟ ଜାରି କରାଯାଇଛି। ସମସ୍ତଙ୍କୁ ଘରେ ରହିବା ସହ ଖାଦ୍ୟପାନୀୟ ଗଚ୍ଛିତ ରଖିବାକୁ ପରାମର୍ଶ ଦିଆଯାଇଛି। ତେବେ ‘ହାଇସେନ୍‌’ର ପ୍ରଭାବରେ ସମୁଦ୍ରରେ ସୁନାମୀ ଆସିବା ପରି ଲହଡି ଆସିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଅନୁମାନ କରାଯାଉଛି କି ଏହା ରବିବାର ଅଥବା ସୋମବାର ଜାପାନ ଦ୍ୱୀପରେ ମାଡ ହୋଇପାରେ। ଏହି ଘୁର୍ଣ୍ଣିଝଡକୁ ଦୃଷ୍ଟିରେ ରଖି ପାଖାପାଖି ୧୦୦ଟି ବିମାନର ଉଡାଣକୁ ସ୍ଥଗିତ ରଖାଯାଇଛି। ‘ହାଇସେନ୍‌’ର ପ୍ରଭାବରେ ଘଣ୍ଟାକୁ ୧୫୫ କିଲୋମିଟର ବେଗରେ ପବନ ବହିବା ଅନୁମାନ କରାଯାଇଛି।

Share