ଟାଇଫୁନ ମାୱାର: ଗୁଆମରେ ଲକଡାଉନ ଘୋଷଣା…

ହୋନୋଲୁଲୁ,୨୩।୫ : ମାଇକ୍ରୋନେସିଆରେ ଅବସ୍ଥିତ ଆମେରିକାର ଦ୍ୱୀପପୁଞ୍ଜ ଗୁଆମରେ ଟାଇଫୁନ ମାୱାର ଲ୍ୟାଣ୍ଡଫଳ କରିବ ବୋଲି ପୂର୍ବାନୁମାନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଯେଉଁମାନଙ୍କର ଘର କଂକ୍ରିଟରେ ତିଆରି ହୋଇନାହିଁ ସେଭଳି ଲୋକଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି। ଏହି ଝଡ ଦୁଇ ଦଶନ୍ଧି ମଧ୍ୟରେ ସବୁଠାରୁ ବଡ ଧରଣର ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଉଛି। ଏକ ୟୁଟ୍ୟୁବ ବାର୍ତ୍ତାରେ ରାଜ୍ୟପାଳ ଲୁ ଲିଓନ ଗୁରେରୋ ଲୋକଙ୍କୁ ଶାନ୍ତ ରହିବାକୁ ଏବଂ ଝଡ଼ ମାୱାର ପାଇଁ ପ୍ରସ୍ତୁତ ରହିବାକୁ ଅନୁରୋଧ କରିଛନ୍ତି।

ପାଣିପାଗ ବିଭାଗ ଅନୁଯାୟୀ, ମେ ୨୪ ତାରିଖ ମଧ୍ୟାହ୍ନରେ ଟାଇଫୁନ ମାୱାର ଗୁଆମର ଦକ୍ଷିଣ ଭାଗରେ ପହଞ୍ଚିବ ବୋଲି ଆଶା କରାଯାଉଛି। ବିପଦକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଗଭର୍ନର ନ୍ୟାଶନାଲ ଗାର୍ଡଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୁଆମରେ ଥିବା ଜାତୀୟ ପାଣିପାଗ ସେବା ମୁଖ୍ୟ ପାଣିପାଗ ବିଜ୍ଞାନୀ ପାଟ୍ରିକ ଡଲ କହିଛନ୍ତି ଯଦି ଏହି ଝଡ଼ ଗୁଆମରେ ସିଧାସଳଖ ମାଡ଼ ନହୁଏ ତେବେ ବି ଏହା ଅତି ନିକଟତର ହେବ।

ପାଣିପାଗ ବିଭାଗ ଅନୁଯାୟୀ ୩ ବର୍ଗ ବିପଦଯୁକ୍ତ ଏହି ଝଡ଼ ମଙ୍ଗଳବାର ଗୁଆମର ଦକ୍ଷିଣ-ପୂର୍ବରେ ପ୍ରାୟ ୧୯୫ ମାଇଲ (୩୧୩.୮କିଲୋମିଟର) ଦୂରରେ ଥିଲା। ଏହା ଘଣ୍ଟା ପ୍ରତି ୯ ରୁ ୧୦ ମାଇଲ ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ପାଣିପାଗ ବିଭାଗର ଅଧିକାରୀ କହିଛନ୍ତି ଏହା ଘଣ୍ଟାପ୍ରତି ୧୪୦ ମାଇଲ (୨୨୫ କିଲୋମିଟର) ବେଗରେ ବର୍ଗ ୪ ଝଡ଼ ଭାବରେ ଲ୍ୟାଣ୍ଡଫଲ କରିବ ବୋଲି ଆଶା କରାଯାଉଛି। ଗୁରେରୋ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି ପବନର ବେଗ ଘଣ୍ଟା ପ୍ରତି ୧୫୦ ମାଇଲରେ ପହଞ୍ଚିପାରେ।

 

ବାତ୍ୟାକୁ ଦୃଷ୍ଟିରେ ରଖି ମଙ୍ଭଳବାର ପୂର୍ବାହ୍ନ ୧୦ଟାରୁ ଗୁଆମରେ ଲକଡାଉନ ପକାଇବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସନ୍ଧ୍ୟା ୬ଟା ସୁଦ୍ଧା ଘର ଖାଲି କରିବାକୁ ନିବେଦନ କରାଯାଇଛି। ଲୋକମାନେ ଝଡ଼ ପୂର୍ବରୁ ଜଳ, ଜେନେରେଟର, ଖାଦ୍ୟ ଏବଂ ଆବଶ୍ୟକୀୟ ସାମଗ୍ରୀ ସଂଗ୍ରହ କରୁଛନ୍ତି। କାଠ ଓ ଟିଣରେ ନିର୍ମିତ ଘରଗୁଡ଼ିକୁ ଶୀଘ୍ର ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share