ଗତ ସପ୍ତାହରେ ପ୍ରକାଶ ପାଇଥିବା ମୋ ନୂଆ ବହିରେ ବ୍ୟକ୍ତିମାନଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦ ବିଷୟ ସ୍ଥାନିତ ହୋଇଛି। ପ୍ରଶ୍ନ ହେଉଛି, ଜଣେ କାହିଁକି ଗଣତନ୍ତ୍ରରେ ପ୍ରତିବାଦ କରିବା ଦରକାର। ଏହାର ଅନେକ କାରଣ ମଧ୍ୟରୁ ଆଜି ଗୋଟିଏ ଉପରେ ଆଲୋଚନା କରିବା। ୧୯୧୯ରେ ରୌଲାତ ଆଇନ ବିରୋଧରେ ଗାନ୍ଧିଜୀଙ୍କ ନେତୃତ୍ୱରେ ସାରା ଭାରତରେ ଆନ୍ଦୋଳନ ହୋଇଥିଲା। ଜାଲିଆନାଓ୍ବାଲାବାଗରେ ହେବାକୁ ଥିବା ପ୍ରତିବାଦରେ ଯୋଗଦେବାକୁ ଲୋକେ ଅମୃତସରରେ ଏକାଠି ହୋଇଥିଲେ। ଫଳରେ ବ୍ରିଟିଶ ସରକାର ବିପଦରେ ଅଛନ୍ତି ବୋଲି ପଞ୍ଜାବର ଗଭର୍ନର ସାର୍ ମାଇକେଲ ଡାୟାର ଘୋଷଣା କରି ପ୍ରତିବାଦକୁ ଦମନ କରିଥିଲେ। ପରେ ଜାଲିଆନାଓ୍ବାଲାବାଗରେ ସମବେତ ଲୋକଙ୍କ ଉପରେ ଗୁଳିଚାଳନା ଯୋଗୁ ୩୦୦ରୁ ଊର୍ଦ୍ଧ୍ୱଙ୍କ ମୃତ୍ୟୁ ଘଟିଥିଲା। ଇମ୍ପେରିଆଲ ଲେଜିସ୍ଲେଟିଭ କାଉନ୍ସିଲର ସମସ୍ତ ଭାରତୀୟ ସଦସ୍ୟ ବିରୋଧ କରିଥିଲେ ମଧ୍ୟ ବ୍ରିଟିଶ ସରକାର ରୌଲାତ ଆଇନ ପାସ୍ କରିଥିଲେ। ଗାନ୍ଧିଜୀ ଏହି ଆଇନକୁ ‘ରାଷ୍ଟ୍ର ପ୍ରତି ଅପମାନ’ ବୋଲି କହିଥିଲେ। ରୌଲାତ ଆଇନକୁ ନେଇ ଭାରତୀୟମାନଙ୍କ କ୍ରୋଧ ପ୍ରକାଶ ପାଇବା ଓ ପ୍ରତିବାଦ ହେବାର କାରଣ ହେଉଛି ଏହା ‘ରୁଲ୍ ଅଫ୍ ଲ’ର ମୌଳିକ ସିଦ୍ଧାନ୍ତଗୁଡ଼ିକୁ ଶେଷ କରିଦେଇଥିଲା। ଉକ୍ତ ଆଇନ ବଳରେ ବିନା ଅଭିଯୋଗ କିମ୍ବା ବିଚାର ବା ମାମଲା(ଟ୍ରାଏଲ)ରେ ଲୋକଙ୍କୁ ଅଟକ ରଖାଯାଉଥିଲା । ଏହାକୁ କୁହାଯାଏ ଆଡମିନିଷ୍ଟ୍ରେଟିଭ ପ୍ରିଭେନ୍ସନ, ଅର୍ଥାତ୍ ଜଣେ ଅପରାଧରେ ଜଡ଼ିତ ନ ଥିତ୍ଲେ ମଧ୍ୟ ଭବିଷ୍ୟତରେ ଅପରାଧ ଘଟାଇବାର ସନ୍ଦେହରେ ତାଙ୍କୁ ଜେଲରେ ରଖାଯାଏ। ଏବେ ସ୍ବାଧୀନ ନାଗରିକ ଭାବେ ଭାରତରେ ଏଭଳି ଆଇନ ଦେଖୁଛୁ। ୨୦୧୫ରେ ଭାରତରେ ୩୨୦୦ ଲୋକଙ୍କୁ ଅଟକ ରଖାଯାଇଥିଲା। ଗୁଜରାଟର ପ୍ରିଭେନ୍ସନ ଅଫ୍ ଆଣ୍ଟିସୋସିଆଲ ଆକ୍ଟିଭିଟିଜ ଆକ୍ଟ,୧୯୮୪ ଅନୁଯାୟୀ ବିନା ଅପରାଧ କିମ୍ବା ଟ୍ରାଏଲରେ ବର୍ଷେ ପାଇଁ ଅଟକ ରଖିବାକୁ ଅନୁମତି ଦେଇଛି। ଉତ୍ତରପ୍ରଦେଶରେ ଜାତୀୟ ସୁରକ୍ଷା ଆଇନ(ଏନ୍ଏସ୍ଏ) ବଳବତ୍ତର ରହିଛି ଓ ଏଥିରେ ବିନା ଅପରାଧ କିମ୍ବା ଟ୍ରାଏଲରେ ବର୍ଷେ ଯାଏ ଅଟକ ରଖାଯାଇପାରିବ। କୌଣସି ବାଟରେ ଯଦି ଜଣେ ଭାରତର ପ୍ରତିରକ୍ଷା, ଭାରତର ବୈଦେଶିକ ସମ୍ପର୍କ କିମ୍ବା ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥାନ୍ତି ତେବେ ତାଙ୍କୁ ରୋକିବା ଲାଗି ଏହି ଆଇନ ପ୍ରୟୋଗ କରାଯାଏ। ଏହା ବ୍ୟତୀତ କୌଣସି ବ୍ୟକ୍ତି ରାଜ୍ୟର ସୁରକ୍ଷା, ସାର୍ବଜନୀନ ସଦ୍ଭାବନା ପ୍ରତି ଯଦି ବିପଦ ସୃଷ୍ଟି କରନ୍ତି ଅଥବା ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଯୋଗାଣ କିମ୍ବା ସେବାରେ ବିପଦ ଆଣନ୍ତି ତେବେ ଉକ୍ତ ଆଇନ ସେମାନଙ୍କ ଉପରେ ଲାଗୁ ହୋଇଥାଏ। ଏନ୍ଏସ୍ଏ ବଳରେ ବି ମଧ୍ୟପ୍ରଦେଶରେ ଗୋଚୋରା ଚାଲାଣ ଏବଂ ଗୋ ହତ୍ୟା ଅଭିଯୋଗରେ ମୁସଲ୍ମାନମାନଙ୍କୁ ଜେଲରେ ଭର୍ତ୍ତି କରାଯାଇଆସୁଛି। ତାମିଲନାଡୁରେ ପ୍ରିଭେନ୍ସନ ଅଫ ଡେଞ୍ଜରିୟସ ଆକ୍ଟିଭିଟିଜ୍ ଅଫ୍ ବୁଟ୍ଲେଗର୍ସ, ଡ୍ରଗ୍-ଅଫେଣ୍ଡର୍ସ, ଫରେଷ୍ଟ ଅଫେଣ୍ଡର୍ସ, ଗୋଣ୍ଡାଜ, ଇମୋରାଲ ଟ୍ରାଫିକ ଅଫେଣ୍ଡର୍ସ, ସ୍ୟାଣ୍ଡ ଅଫେଣ୍ଡର୍ସ, ସେକ୍ସୁଆଲ ଅଫେଣ୍ଡର୍ସ, ସ୍ଲମ୍-ଗ୍ରାବେୟର୍ସ ଏବଂ ଭିଡିଓ ପିରେଟ୍ସ ଆକ୍ଟ,୧୯୮୨ ପ୍ରଚଳିତ। ଏଥିରେ ରାଜ୍ୟ ବିନା ଅପରାଧ କିମ୍ବା ଟ୍ରାଏଲରେ ଯେକୌଣସି ବ୍ୟକ୍ତି ଚୋରା ମଦ ହେଉ ଅବା ନକଲି ଓଷଧ କାରବାର କିମ୍ବା ଜଙ୍ଗଲ, ବାଲି, ଯୌନ ଅପରାଧ ଅଥବା ଗୁଣ୍ଡା, ଟ୍ରଫିକ ଅମାନ୍ୟକାରୀଙ୍କୁ ଜେଲ୍ ପଠାଇ ଦେଇପାରିବ। କର୍ନାଟକରେ ୧୯୮୫ର ଏଭଳି ଏକ ଆଇନ ବଳରେ ସାର୍ବଜନୀନ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରୁଥିବା ଏସିଡ୍ ଆକ୍ରମଣକାରୀ, ବେଆଇନ ବିକ୍ରେତା, ପରିବେଶ ହାନିକାରୀ ବ୍ୟକ୍ତି, ଗୁଣ୍ଡା, ଜମି ମାଫିଆ ଆଦିଙ୍କୁ ବିନା ଅଭିଯୋଗ ଓ ଟ୍ରାଏଲରେ ୧୨ମାସ ପର୍ଯ୍ୟନ୍ତ ଅଟକ ରଖିବାକୁ ଅନୁମତି ଦେଇଛି।
ଆସାମରେ ପ୍ରଭେନ୍ସନ ଡିଟେନ୍ସନ ଆକ୍ଟ,୧୯୮୦ରେ ବିନା ଅଭିଯୋଗ ଓ ଟ୍ରାଏଲ୍ରେ ଜଣେ ବ୍ୟକ୍ତିଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲରେ ରଖାଯାଇପାରିବ। ବିହାରରେ କଞ୍ଜରଭେସନ ଅଫ୍ ଫରେନ୍ ଏକ୍ସଚେଞ୍ଜ ଆଣ୍ଡ୍ ପ୍ରିଭେନ୍ସନ ଅଫ୍ ସ୍ମଗଲିଂ ଆକ୍ଟ, ୧୯୮୪ କାର୍ଯ୍ୟକରୁଛି। ବିନା ଅଭିଯୋଗ କିମ୍ବା ଟ୍ରାଏଲ୍ରେ ଜଣେ ବ୍ୟକ୍ତିଙ୍କୁ ଦ୍ରବ୍ୟ ଚୋରା କାରବାର କିମ୍ବା ଏହାକୁ ସହାୟତା କରିବା ବା ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଶ୍ରୟ ଦେବା, ଚୋରା ଦ୍ରବ୍ୟ ରଖିବା ଓ ପରିବହନରେ ସହାୟତା କରୁଥିବା ବ୍ୟକ୍ତିଙ୍କୁ ଦୁଇବର୍ଷ ଯାଏ ଅଟକ ରଖାଯିବାର ବ୍ୟବସ୍ଥା ଅଛି। କଶ୍ମୀରରେ ବି ଏମିତିକା ତିନୋଟି ଆଇନ ରହିଛି। ବିନା ଅଭିଯୋଗ କିମ୍ବା ଟ୍ରାଏଲରେ ପ୍ରଥମ ଆଇନରେ ୬ମାସ, ଦ୍ୱିତୀୟଟିରେ ୧ ବର୍ଷ ଓ ତୃତୀୟରେ ୨ ବର୍ଷ ଅଟକ ରଖାଯାଉଛି। ପଶ୍ଚିମବଙ୍ଗରେ ୧୯୭୦ର ପ୍ରଭେନସନ ଆଣ୍ଡ୍ ଭାଓଲେଣ୍ଟ ଆକ୍ଟିଭିଟିଜ ଆକ୍ଟ ଚାଲିଛି। ଛତିଶଗଡ଼ରେ ସାମ୍ବାଦିକମାନଙ୍କୁ ଏନ୍ଏସ୍ଏ ବଳରେ ସେମାନଙ୍କ ରିପୋର୍ଟିଂ ପାଇଁ ବର୍ଷେ ଯାଏ ଜେଲରେ ରଖାଯିବାର ଧାରା ଜାରି ରହିଛି।
ଏହିସବୁ ଆଇନ ଇଂରେଜ ଅମଳର ନୁହେଁ। ଏଗୁଡ଼ିକୁ ଆମେ ହିଁ ଗଢ଼ିଛୁ। ପ୍ରତ୍ୟେକ ରାଜ୍ୟ ମନଇଚ୍ଛା ଏଗୁଡ଼ିକୁ ବ୍ୟବହାର କରୁଛନ୍ତି, ହେଲେ ନ୍ୟାୟପାଳିକାରୁ କୌଣସି ପ୍ରତିରୋଧ ନାହିଁ। ଆଜିକାଲି ଆମେ କିଛି ବର୍ଗର ଲୋକଙ୍କୁ ଶତ୍ରୁ ଭାବେ ବିବେଚନା କରି ସେମାନଙ୍କୁ ଦେଶଦ୍ରୋହୀ ବୋଲି କହୁଛୁ। ରୌଲାତ ଆଇନ ସାରା ଦେଶରେ କେବେ ବି ଲାଗୁ କରାଯାଇ ନ ଥିଲା। କିନ୍ତୁ ଆମେ ହାତଗଢ଼ା ‘ରୌଲାତ ଆଇନ’କୁ ସବୁ ରାଜ୍ୟରେ ଆମ ଲୋକମାନଙ୍କ ବିରୋଧରେ ହିଁ ପ୍ରୟୋଗ କରୁଛୁ। ଆମେ ଏବେ କାହିଁକି ଏସବୁ ଆଇନ ବିରୋଧରେ ଜାଲିଆନାଓ୍ବାଲାବାଗ ଭଳି ସମାବେଶ କରୁନାହଁୁ? ନାଗରିକମାନଙ୍କ ଉପରେ ଚାଲିଥିବା ଦମନଲୀଳାକୁ କାହିଁକି ଆମ ନିର୍ବାଚିତ ପ୍ରତିନିଧିମାନେ ବିିରୋଧ କରୁନାହାନ୍ତି, ଯେଭଳି ଇମ୍ପେରିଆଲ ଲେଜିସ୍ଲେଟିଭ କାଉନ୍ସିଲରେ ଭାରତୀୟ ସଦସ୍ୟମାନେ କରିଥିଲେ। ଆମେ କ’ଣ ଏହାର ଧାରା, ଅତ୍ୟାଚାର ଏବଂ ଆମ ବ୍ୟକ୍ତିଗତ ଅଧିକାରଗୁଡ଼ିକ ପ୍ରତି ସଚେତନ ନୋହଁୁ କି? ବିଦେଶୀମାନେ ଏହି ଆଇନଗୁଡ଼ିକୁ ଗଢି ନ ଥିବାରୁ ଏହା ଆମକୁ ଠିକ୍ ଲାଗୁଛି ଓ ଗ୍ରହଣୀୟ ହୋଇଯାଇଛି କି?