ଇରାକ, ସିରିଆରେ ଆମେରିକାର ବିମାନ ଆକ୍ରମଣ

ଡମାସ୍‌କସ୍‌/ଓ୍ବାଶିଂଟନ, ୨୯।୬(ଆଇଏଏନ୍‌ଏସ୍‌): ଇରାକ୍‌ ଏବଂ ସିରିଆ ସୀମାନ୍ତ ଅଞ୍ଚଳରେ ରବିବାର ଆମେରିକା ବିମାନରୁ ବୋମାମାଡ଼ କରାଯାଇଛି। ଏହି ଆକ୍ରମଣରେ ସିରିଆ ପାର୍ଶ୍ୱରେ ଅର୍ଦ୍ଧସାମରିକ ବାହିନୀର ୫ ସଦସ୍ୟ ନିହତ ହେବା ସହ ଅନେକେ ଆହତ ହୋଇଛନ୍ତି। ଉକ୍ତ ଅଞ୍ଚଳରେ ଇରାନ ସମର୍ଥତ୍ତ ମିଲିସିଆ ଗୋଷ୍ଠୀ ବ୍ୟବହାର କରୁଥିବା ଅସ୍ତ୍ରଭଣ୍ଡାରକୁ ଟାର୍ଗେଟ କରି ବିମାନରୁ ଆକ୍ରମଣ କରାଯାଇଥିଲା ବୋଲି ପେଣ୍ଟାଗନ ପକ୍ଷରୁ କୁହାଯାଇଛି। ସିରିଆର ଦୁଇଟି ଓ ଇରାକ୍‌ର ଗୋଟିଏ ସ୍ଥାନରେ ଥିବା ଅସ୍ତ୍ରଭଣ୍ଡାର ଓ ଅପରେଶନାଲ ସାଇଟ୍‌ ଉପରେ ବୋମାମାଡ଼ ହୋଇଥିବା ପେଣ୍ଟାଗନ ପ୍ରେସ୍‌ ସଚିବ ଜନ୍‌ କିର୍ବି ଏକ ବିବୃତିରେ କହିଛନ୍ତି। ଏଥିପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିର୍ଦ୍ଦେଶ ଦେଇଥିବା ସେ ସୂଚନା ଦେଇଛନ୍ତି।
ବାଇଡେନ୍‌ କ୍ଷମତାକୁ ଆସିବାର ୬ ମାସ ମଧ୍ୟରେ କୌଣସି ଅଞ୍ଚଳ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏହା ଦ୍ୱିତୀୟ ଘଟଣା। ୫ ମାସ ପୂର୍ବରୁ ଇରାକରେ ଥିବା ଆମେରିକା ସାମରିକ ଘାଟିକୁ ଇରାନ୍‌ ସମର୍ଥତ୍ତ ଗୋଷ୍ଠୀ ଟାର୍ଗେଟ କରିବାରୁ ପେଣ୍ଟାଗନ୍‌ ପକ୍ଷରୁ ଏହାର ଠିକଣା ଜବାବ ଦିଆଯାଇଥିଲା। ଫେବୃୟାରୀରେ ଆମେରିକା ପକ୍ଷରୁ ହୋଇଥିବା ଏହି ଏୟାରଷ୍ଟ୍ରାଇକ୍‌ରେ ଅର୍ଦ୍ଧସାମରିକ ବାହିନୀର ୧୭ ସଦସ୍ୟ ନିହତ ହୋଇଥିଲେ।

Share