ତାଲିବାନକୁ ଆମେରିକାର କଡ଼ା ଜବାବ୍‌, ଫ୍ରିଜ୍‌ କଲା ୭୦୬ ଶହ କୋଟିରୁ ଅଧିକ ଟଙ୍କା…

ଓ୍ବାଶିଂଟନ,୧୮।୮: ଆମେରିକା ଆଫଗାନିସ୍ତାନରୁ ନିଜର ସୈନ୍ୟ ପ୍ରତ୍ୟାହାର କରିନେଇଛି। କିନ୍ତୁ ତାଲିବାନ ବିରୋଧରେ ଯୁଦ୍ଧ ଏବେ ବି ଜାରି ରଖିଛି। ଆମେରିକା ଆଫଗାନିସ୍ତାନ ସେଣ୍ଟ୍ରାଲ ବ୍ୟାଙ୍କର ସମ୍ପତ୍ତି ପ୍ରାୟ ୯.୯ ବିଲିୟନ ଡ଼ଲାର ଅର୍ଥାତ୍‌ ୭୦୬ ଶହ କୋଟିରୁ ଅଧିକ ଟଙ୍କା ଫ୍ରିଜ କରିଛି। ଏହା ସହିତ ଆଫଗାନିସ୍ତାନକୁ ନଗଦ ଯୋଗାଣ ମଧ୍ୟ ଆମେରିକା ବନ୍ଦ କରିଦେଇଛି। ଯାହାଦ୍ୱାରା ଦେଶର ସମ୍ପତ୍ତି ତାଲିବାନ ହାତକୁ ଆଉ ଯାଇ ପାରିବ ନାହିଁ ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସରକାର ଚିନ୍ତା କରୁଛନ୍ତି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ଆମେରିକାର ଜଣେ ପ୍ରଶାସନିକ ଅଧିକାରୀ ଏସମ୍ପର୍କରେ ନିଶ୍ଚିତ କରିଛନ୍ତି। ଅଧିକାରୀ କହିଛନ୍ତି ଯେ ଆମେରିକାରେ ଆଫଗାନିସ୍ତାନ ସରକାରଙ୍କ ସେଣ୍ଟ୍ରାଲ ବ୍ୟାଙ୍କର କୌଣସି ସମ୍ପତ୍ତି ତାଲିବାନ ପାଇଁ ଉପଲବ୍ଧ ହେବ ନାହିଁ ଏବଂ ଏହା ଟ୍ରେଜେରୀ ବିଭାଗର ପ୍ରତିବନ୍ଧିତ ତାଲିକାରେ ରହିବ।

ଏହାପୂର୍ବରୁ ସୋମବାର ଆଫଗାନିସ୍ତାନ ସେଣ୍ଟ୍ରାଲ ବ୍ୟାଙ୍କର ମୁଖ୍ୟ ଅଜମଲ ଅହମଦି ଟୁଇଟ୍‌ କରି ସୂଚନା ଦେଇଥିଲେ ଯେ ଆମେରିକାର ଡଲାର ଶିପମେଣ୍ଟ୍‌ ବନ୍ଦ ହେବାକୁ ଯାଉଛି। କାରଣ ତାଲିବାନ ଏହି ପାଣ୍ଠିକୁ ନିଜ ଅଧୀନକୁ ନେଉ ଏହା ଆମେରିକା ଚାହୁଁନାହିଁ। ଆମେରିକାର ପ୍ରତିବନ୍ଧ ଦ୍ୱାରା ତାଲିବାନ କୌଣସି ପାଣ୍ଠିର ବ୍ୟବହାର କରିପାରିବ ନାହିଁ। ତେବେ ଏସମ୍ପର୍କରେ ଆମେରିକାର ଟ୍ରେଜେରୀ ବିଭାଗ ସୂଚନା ଦେବାକୁ ମନା କରି ଦେଇଛି।

Share