ଆମେରିକା ପ୍ରତିନିଧି ସଭାରେ ଗଞ୍ଜେଇ ବିଲ୍‌ ଗୃହୀତ

ଓ୍ବାଶିଂଟନ୍‌,୨।୪: ଆମେରିକାର ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ ଗଞ୍ଜେଇକୁ ବୈଧ କରିବା ପାଇଁ ଉଦ୍ଦିଷ୍ଟ ଏକ ବିଲ୍‌କୁ ମଞ୍ଜୁରୀ ଦେଇଛି। ମାରିଜୁଆନା ଅପର୍ଚୁନିଟି ରିଇନ୍‌ଭେଷ୍ଟମେଣ୍ଟ ଆଣ୍ଡ ଏକ୍ସପଙ୍ଗ୍‌ମେଣ୍ଟ (ଏମ୍‌ଓଆର୍‌ଇ) ଆଇନ ବଳରେ ଦେଶରେ ଗଞ୍ଜେଇ ଉପରେ ଜାରି କଟକଣା ହଟିବ। ବିଲ୍‌କୁ ହାଉସ୍‌ ଜୁଡିସିଆରି ଚେୟାରମ୍ୟାନ୍‌ ଜେରୋଲ୍ଡ ନାଡ୍‌ଲେର ଗୃହରେ ଆଗତ କରିଥିଲେ। ଏହା ସପକ୍ଷରେ ୨୨୦ ଓ ବିରୋଧରେ ୨୦୪ ସଦସ୍ୟ ମତଦାନ କରିଥିଲେ। ସିନେଟ୍‌ରେ ଏହାକୁ ନେଇ ଝଡ଼ ସୃଷ୍ଟି ହୋଇପାରେ। ଆମେରିକାର ୧୯ ରାଜ୍ୟରେ ସାବାଳକଙ୍କୁ କାନାବିଜ୍‌ ବ୍ୟବହାର ପାଇଁ ଅନୁମତି ମିଳିଛି। ଅନ୍ୟ ୩୬ ରାଜ୍ୟରେ ଏହାକୁ ଔଷଧୀୟ ବ୍ୟବହାର ଲାଗି ଅନୁମତି ରହିଛି। ଏହି ବିଲ୍‌ ଆଇନରେ ପରିଣତ ହେଲେ ଗଞ୍ଜେଇ ବ୍ୟବହାର ଉପରେ ସଂଘୀୟ କଟକଟଣା ହଟିଯିବ। କିନ୍ତୁ ରାଜ୍ୟଗୁଡ଼ିକୁ ଏହାକୁ ବୈଧ କରିବାକୁ ପଡ଼ିବ। ଗତବର୍ଷ ଦେଶରେ ଆଇନଗତ ଭାବେ ୨୫ ବିଲିୟନ୍‌ ଡଲାର ଗଞ୍ଜେଇ ବିକ୍ରି ହୋଇଥିଲା, ଯାହାକି ୨୦୨୦ ତୁଳନରେ ୪୩% ଅଧିକ। ୨୦୩୦ ସୁଦ୍ଧା ଏହି ଶିଳ୍ପ ୬୫ ବିଲିୟନ୍‌ ଡଲାର କାରବାର କରିପାରେ ।

Share