କୋଭିଶିଲ୍ଡକୁ ଆମେରିକାର ମଞ୍ଜୁରୀ

ନୂଆଦିଲ୍ଲୀ, ୨୨।୯: କୋଭିଡ୍‌-୧୯ ଟିକାର ଡବଲ ଡୋଜ୍‌ ନେଇଥିବା ଭାରତ ସମେତ ୩୩ଟି ଦେଶର ଲୋକେ ଆସନ୍ତା ନଭେମ୍ବର ମାସରୁ ଆମେରିକା ବିମାନ ଯାତ୍ରା କରିପାରିବେ। ଏଥିପାଇଁ ମଞ୍ଜୁରୀପ୍ରାପ୍ତ ଟିକା ତାଲିକାରେ ଭାରତ ପ୍ରସ୍ତୁତ କୋଭିଶିଲ୍ଡ ରହିଛି। ଅର୍ଥାତ୍‌ କେବଳ କୋଭିଶିଲ୍ଡ ଟିକା ନେଇଥିବା ଭାରତୀୟ ଆମେରିକା ଯାଇପାରିବେ। ଅନ୍ୟ ଦେଶ ମଧ୍ୟରେ ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ସ୍ପେନ୍‌, ସୁଇଜରଲାଣ୍ଡ, ଗ୍ରୀସ୍‌, ବ୍ରିଟେନ, ଆୟରଲାଣ୍ଡ, ଚାଇନା, ଦକ୍ଷିଣ ଆଫ୍ରିକା, ଇରାନ ଓ ବ୍ରାଜିଲର ଲୋକଙ୍କୁ ଆମେରିକା ଯିବା ପାଇଁ ଅନୁମତି ମିଳିଛି। ବିମାନ ଯାତ୍ରା କରିବା ପୂର୍ବରୁ ସେମାନଙ୍କୁ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବାକୁ ହେବ। ସେମାନେ ଆମେରିକାରେ ପହଞ୍ଚତ୍ବା ପରେ ଆଉ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ିବ ନାହିଁ। ବର୍ତ୍ତମାନ ସୁଦ୍ଧା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ୭ କୋଭିଡ୍‌ ଟିକାକୁ ମଞ୍ଜୁରୀ ଦେଇଛି। ସେଗୁଡ଼ିକ ହେଲେ ମଡର୍ନା, ଫାଇଜର-ବାୟୋଏନ୍‌ଟେକ୍‌, ଜନ୍‌ସନ ଆଣ୍ଡ ଜନ୍‌ସନ, ଅକ୍ସଫୋର୍ଡ-ଅଷ୍ଟ୍ରାଜେନିକା, ଭାରତର କୋଭିଶିଲ୍ଡ, ଚାଇନାର ସିନୋଫାର୍ମ ଏବଂ ସିନୋଭାକ୍‌। ଭାରତ ପ୍ରସ୍ତୁତ କୋଭାକ୍ସିନ୍‌କୁ ଡବ୍ଲ୍ୟୁଏଚ୍‌ଓ ଏବଂ ଆମେରିକାର ଏଫଡିଏ ଅନୁମୋଦନ କରି ନ ଥିବାରୁ ଏହି ଟିକା ନେଇଥିବା ଲୋକେ ଆମେରିକା ଯାଇପାରିବେ ନାହିଁ।
କୋଭିଶିଲ୍ଡ ଟିକା ନେଇଥିବା ଭାରତୀୟ ପାଇଁ ବ୍ରିଟେନ ଯିବା ଲାଗି ଅନୁମତି ମିଳୁ ନ ଥିବାରୁ କେନ୍ଦ୍ର ସରକାର ଜବାବୀ ପଦକ୍ଷେପ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।

Share