ବେଜିଂ, ୨୭।୮: ସମରାଭ୍ୟାସ ବେଳେ ଆମେରିକା ସୈନ୍ୟବାହିନୀର ଏକ ବିମାନ ଚାଇନା ବାୟୁସୀମା ମଧ୍ୟରେ ପ୍ରବେଶ କରିବାରୁ ବେଜିଂ ପ୍ରତିବାଦ ଜଣାଇଛି। ଏଭଳି କାର୍ଯ୍ୟ ଉତ୍ତେଜନା ବଢ଼ାଇବ ଏବଂ ଭୁଲ୍ ଆକଳନ କିମ୍ବା ଦୁର୍ଘଟଣା ଘଟାଇପାରେ ବୋଲି ଚାଇନା ପକ୍ଷରୁ ସତର୍କ କରିଦିଆଯାଇଛି। ଆମେରିକାର ଏକ ଗୁପ୍ତଚର ବିମାନ ମଙ୍ଗଳବାର ଚାଇନା ବାୟୁସୀମା ଅତିକ୍ରମ କରିଥିଲାବେଳେ ବୁଧବାର ଦ୍ୱିତୀୟ ଗୁପ୍ତଚର ବିମାନ ଦକ୍ଷିଣ ଚାଇନା ସାଗର ଉପରେ ଉଡିଥିଲା। ସମରାଭ୍ୟାସ ବେଳେ ଚାଇନାର ମୁଖ୍ୟ ଭୂଖଣ୍ଡ ମଧ୍ୟକୁ ଆମେରିକାର ଗୁପ୍ତଚର ବିମାନ ପ୍ରବେଶ କରିବା ଘଟଣାରେ ଚାଇନା ବହିର୍ବ୍ୟାପାର ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରତିବାଦ ଜଣାଇଛନ୍ତି। ଯୁକ୍ତରାଷ୍ଟ୍ରର ଏଭଳି କାର୍ଯ୍ୟ ଚାଇନାର ସ୍ବାଭାବିକ ସମରାଭ୍ୟାସ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଗୁରୁତର ପ୍ରଭାବିତ କରିଛି ବୋଲି ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର ୟୁ କିଆନ୍ କହିଛନ୍ତି।