ଦକ୍ଷିଣ ଚାଇନା ସାଗରରେ ଆମେରିକା ଯୁଦ୍ଧପୋତ

ଓ୍ବାଶିଂଟନ,୨୫।୧: ଆମେରିକାର ଜୋ ବାଇଡେନ୍‌ ସରକାରଙ୍କ ପକ୍ଷରୁ ଚାଇନାର ତାଇଓ୍ବାନ ନୀତିକୁ ବିରୋଧ କରାଯିବା ସହିତ ଚେତାବନୀ ଦିଆଯାଇଥିଲା। ତାଇଓ୍ବାନ ବିରୋଧରେ ଚାଇନା ପକ୍ଷରୁ କରାଯାଉଥିବା ସୈନ୍ୟ ବାହିନୀ କାର୍ଯ୍ୟ କଳାପ, ରାଜନୈତିକ ଏବଂ ଆର୍ଥିକ ଚାପ କମ୍‌ କରିବା ଲାଗି ବାଇଡେନ୍‌ ସରକାର କହଥିଲେ। ତେବେ ଚାଇନା ଏହାକୁ ହେୟ ଜ୍ଞାନ କରିବାରୁ ଆମେରିକା ଯୁଦ୍ଧ ପୋତ ଏବେ ଦକ୍ଷିଣ ଚାଇନା ସାଗରରେ ପହଞ୍ଚିଛି। ୨ଦିନତଳେ ଚାଇନାର ବାୟୁସେନାର ୧୨ଟି ୮-ଏଚ୍‌-୬-କେ ଯୁଦ୍ଧ ବିମାନ ତାଇଓ୍ବାନ ବାୟୁସୀମା ଅତିକ୍ରମ କରିଥିଲା। ସେହିପରି ଚାଇନା ଯୁଦ୍ଧ ପୋତ ତାଇଓ୍ବାନର ସୁରକ୍ଷା କ୍ଷେତ୍ରରେ ଅବୈଧ ଭାବେ ପ୍ରବେଶ କରିଥିଲା। ଏହାକୁ ନେଇ ଆମେରିକା ପକ୍ଷରୁ ଚିନ୍ତା ପ୍ରକଟ କରାଯାଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି। ଚାଇନାକୁ ବୁଦ୍ଧି ଶିଖାଇବା ଲାଗି ତାଇଓ୍ବାନ ନିଜର କ୍ଷେପଣାସ୍ତ୍ରକୁ ଚାଇନା ଯୁଦ୍ଧପୋତ ଏବଂ ବିମାନ ମୁହାଁ କରିଥିଲା। ଭାରତ ଏବଂ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସମୃଦ୍ଧି ଏବଂ ସୁରକ୍ଷା ପାଇଁ ବାଇଡେନ୍‌ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି। ଆମେରିକା ପକ୍ଷରୁ କୁହାଯାଇଛି ଯେ, ଏହି ଅଞ୍ଚଳର ସ୍ବତନ୍ତ୍ରତା ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ରୁଟିନ୍‌ ଗସ୍ତ ଅନ୍ତର୍ଗତ ଯୁଦ୍ଧପୋତ ଦକ୍ଷିଣ ଚାଇନା ସାଗରରେ ପଇଁତରା ମାରିଛି। ଏନେଇ କେହି ବିଚଳିତ ହେବାର କାରଣ ନାହିଁ।

Share