ଘୋଡ଼ାକୁ ବେହୋସ୍‌ କରୁଥିବା ଇଞ୍ଜେକସନ୍‌ ନେଉଛନ୍ତି ଆମେରିକା ଯୁବବର୍ଗ

ଓ୍ବାଶିଂଟନ, ୩।୨: ଏବେ ଆମେରିକା ଯୁବବର୍ଗ ନିଶାର ଏକ ନୂଆ ମହାମାରୀ କବଳରେ ପଡ଼ିଛନ୍ତି। ସେମାନେ ଘୋଡ଼ାକୁ ବେହୋସ୍‌ କରିବା ଲାଗି ବ୍ୟବହାର କରାଯାଉଥିବା ଇଞ୍ଜେକସନ୍‌ ନେଉଛନ୍ତି। ଏହାଦ୍ୱାରା ଅଧିକ ସମୟ ସେମାନଙ୍କର ନିଶାରେ ବିତୁଛି। ସମ୍ପ୍ରତି ଫିଲଡାଲଫିଆରେ ହୋଇଥିବା ଏକ ଗବେଷଣା ରିପୋର୍ଟ ଏସମ୍ପର୍କରେ ଉଲ୍ଲେଖ କରାଯାଇଛି। ଘୋଡ଼ାକୁ ବେହୋସ୍‌ କରିବା ଲାଗି ଜାଇଲାଜିନ୍‌ ଇଞ୍ଜେକସନ୍‌ ପ୍ରତି ଯୁବବର୍ଗ ଅଧିକ ଆକର୍ଷିତ ହେଉଥିବା ରିପୋର୍ଟରେ କୁହାଯାଇଛି। ଏହା ଏବେ ସହଜରେ ଦେଶର ବିଭିନ୍ନ ଅଞ୍ଚଳରେ ମିଳୁଛି। ଯୁବବର୍ଗ ଜାଇଲାଜିନ୍‌କୁ ହେରୋଇନ୍‌ ଅବା ଫେଣ୍ଟାନିଲ୍‌ ସହିତ ମିଶ୍ରିତ କରି ବ୍ୟବହାର କରୁଛନ୍ତି। ଏହାର ଏକ ବିସ୍ତୁତ ରିପୋର୍ଟ ଫେବୃୟାରୀ ୨ରେ ମେଡ଼ିକାଲ ପତ୍ରିକା ଇଞ୍ଜ୍ୟୁରି ପ୍ରିଭେନଶନ୍‌ରେ ପ୍ରକାଶ ପାଇଛି। ଏହାର ବ୍ୟବହାର ଦ୍ୱାରା ଶରୀରରେ ରକ୍ତଚାପ କମିଯିବା ସହିତ ହୃଦୟ ସ୍ପନ୍ଦନ ହାର ମଧ୍ୟ ହ୍ରାସ ପାଇଥାଏ। ଏହି ମିଶ୍ରଣର ନିଶା ପ୍ରଭାବ ଅଧିକ ସମୟ ରହୁଥିବାରୁ ଯୁବବର୍ଗ ଏହାକୁ ପସନ୍ଦ କରୁଛନ୍ତି।

Share