Advertisement

ଭାରତୀୟ ଶିଶୁ ପାଇଁ ନିୟମ ଭାଙ୍ଗିଲା ୟୁଏଇ

ଆବୁଧାବି,୨୯।୪: ଜଣେ ଭାରତୀୟ ଶିଶୁକୁ ଜନ୍ମ ପ୍ରମାଣ ପତ୍ର ଦେବା ଲାଗି ୟୁନାଇଟେଡ୍‌ ଆରବ ଏମିରେଟ୍ସ(ୟୁଏଇ) ତା’ର ନିୟମ ଭଙ୍ଗ କରିଛି। ଏହି ଆଧାରରେ ୟୁଏଇ ସରକାର ଜଣେ ହିନ୍ଦୁ ପିତା ଓ ମାସଲମାନ ମା’ଙ୍କ ୯ ମାସର ଶିଶୁକୁ ଜନ୍ମ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି। ୟୁଏଇର ନିୟମ ରହିଛି ଜଣେ ମୁସଲମାନ ପୁରୁଷ ଅନ୍ୟ ଧର୍ମର ମହିଳାଙ୍କୁ ବିବାହ କରିପାରିବେ। ହେଲେ ଜଣେ ମୁସଲମାନ ମହିଳା ଅନ୍ୟ ଧର୍ମର ପୁରୁଷଙ୍କୁ ବିବାହ କରିପାରିବେ ନାହିଁ। ହେଲେ ଉକ୍ତ ଭାରତୀୟ ଦମ୍ପତିଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଥାଇ ମଧ୍ୟ ୟୁଏଇ ତାଙ୍କୁ ଶିଶୁଟିର ଜନ୍ମ ପ୍ରମାଣପତ୍ର ଦେଇଛି। ସୂଚନାଯୋଗ୍ୟ, ଶାରଜାହାରେ ରହୁଥିବା ହିନ୍ଦୁ ପୁରୁଷ କିରଣ ବାବୁ ଓ ମୁସଲମାନ ମହିଳା ସନମ ସାବୁ ସିଦ୍ଦିକି ୨୦୧୬ରେ କେରଳରେ ବିବାହ କରିଥିଲେ। ୨୦୧୮ରେ ଆବୁ ଧାବିରେ ରହୁଥିବା ବେଳେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ନେଇଥିଲା। ହେଲେ ଜାତିଗତ କାରଣ ଦର୍ଶାଇ ହସ୍ପିଟାଲ ଶିଶୁଟିର ଜନ୍ମ ପ୍ରମାଣପତ୍ର ଦେଇ ନ ଥିଲା। ଏହାପରେ ସେମାନେ ଆଇନର ସାହାଯ୍ୟ ନେଇଥିଲେ। ହେଲେ ସେଥିରେ କୌଣସି ସୁଫଳ ମିଳି ନ ଥିଲା। ଶେଷରେ ଭାରତୀୟ ଦୁତାବାସ ଜରିଆରେ ଶିଶୁର ଜନ୍ମ ପ୍ରମାଣ ପତ୍ର ପାଇବାକୁ ଆବେଦନ କରିବାରୁ ଏବେ ସେହି ୯ ମାସର ଶିଶିଟିକୁ ୟୁଏଇ ଜନ୍ମ ପ୍ରମାଣ ପତ୍ର ଦେଇଥିବା ପ୍ରକାଶ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share