Categories: ବାଣିଜ୍ୟ

ୟୁବିଆଇର ‘ୟୁ ଜିନିୟସ୍‌’ ଉଦ୍‌ଯାପିତ

ଭୁବନେଶ୍ୱର,୨୬।୮: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ) ପକ୍ଷରୁ ଶୁକ୍ରବାର ଏକ ଜାତୀୟ ସ୍ତରୀୟ କୁଇଜ୍‌ ପ୍ରତିଯୋଗିତା ‘ୟୁ ଜିନିୟସ୍‌’ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମଠାରେ ଆୟୋଜିତ ହୋଇଯାଇଛି। ଉକ୍ତ ପ୍ରତିଯୋଗିତାରେ କଟକ, ଭୁବନେଶ୍ୱର, ବାଲେଶ୍ୱର, ବାରିପଦା, ବ୍ରହ୍ମପୁର ଓ ପୁରୀ ଭଳି ଅନେକ ଜିଲାରୁ ୧୦୦୦ରୁ ଊର୍ଦ୍ଧ୍ୱ ସ୍କୁଲ ପିଲାମାନେ ଭାଗ ନେଇଥିବାବେଳେ ପ୍ରାୟ ୩୦୦ ଅଭିଭାବକ ଏବଂ ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ରହି ପିଲାମାନଙ୍କୁ ପ୍ରୋତ୍ସାହିତ କରିବା ସହ ୟୁନିୟନ ବ୍ୟାଙ୍କର ଉଦ୍ୟମକୁ ପ୍ରଶଂସା କରିଥିଲେ। ଏହି ପରିପ୍ରେକ୍ଷୀରେ ୟୁବିଆଇ ଭୁବନେଶ୍ୱର ଅଞ୍ଚଳର ମହାପ୍ରବନ୍ଧକ ତଥା ଆଞ୍ଚଳିକ ମୁଖ୍ୟ ସର୍ଭେସ୍‌ ରଞ୍ଜନ, ଉପ-ମହାପ୍ରବନ୍ଧକ ଆର୍‌. ଦେବରାଜ, ଉପ-ମହାପ୍ରବନ୍ଧକ ରଞ୍ଜିତ୍‌ କୁମାର, ଭୁବନେଶ୍ୱର କ୍ଷେତ୍ରର ଉପ-ମହାପ୍ରବନ୍ଧକ ତଥା କ୍ଷେତ୍ରୀୟ ମୁଖ୍ୟ ନିରଞ୍ଜନ ବାରିକ, ଏବଂ କଟକ କ୍ଷେତ୍ରର ସହାୟକ ମହାପ୍ରବନ୍ଧକ ତଥା କ୍ଷେତ୍ରୀୟ ମୁଖ୍ୟ ସରୋଜ କୁମାର ରାଉତ, ଏସ୍‌.ପି. ମହାନ୍ତି, ରିଜିଓନାଲ ଡାଇରେକ୍ଟର, ଭାରତୀୟ ରିଜର୍ଭ ବ୍ୟାଙ୍କ, ପିଭିଏସ୍‌ ସନ୍ଥରାମ, ସିଏସ୍‌ସି ଏବଂ ଡିଆଇଜି, ଆର୍‌ପିଏଫ୍‌, ଇଷ୍ଟକୋଷ୍ଟ ରେଲୱେ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ପ୍ରତିଯୋଗିତାରେ ଡିଏଭି କଳିଙ୍ଗ ନଗର ସ୍କୁଲ ବିଜୟୀ ହାସଲ କରିଥିଲା। ଏହି ଅବସରରେ ସମସ୍ତ ଛାତ୍ରୀଛାତ୍ରଙ୍କୁ ମାନପତ୍ର ଦିଆଯାଇଥିଲା। ସେହିଭଳି ଉଦ୍‌ଯାପନୀ ସଭାରେ ବିଜୟୀ ପ୍ରତିଯୋଗୀଙ୍କୁ ସମ୍ମାନିତ କରିବା ସହିତ ପୁରସ୍କୃତ କରାଯାଇଥିଲା। ପ୍ରତିଯୋଗିତା ଦ୍ୱାରା ଛାତ୍ରୀଛାତ୍ରମାନେ ଉତ୍ସାହିତ ଏବଂ ପ୍ରୋତ୍ସାହିତ ହେବା ସହ ସେମାନଙ୍କ ମଧ୍ୟରେ ଦଳୀୟ ଭାବନା, ସାଧାରଣ ଜ୍ଞାନ ଏବଂ ବିତ୍ତୀୟଜ୍ଞାନର ଭାବନା ସୃଷ୍ଟି କରିବା ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସାମାଜିକ ଦାୟିତ୍ୱବୋଧତା ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା।

Share