Categories: ଜାତୀୟ

ୟୁସିସିରେ ଦିବ୍ୟାଙ୍ଗଙ୍କ ସୁରକ୍ଷା କରୁଥିବା ଆଇନ ସାମିଲ କରିବାକୁ ପ୍ରସ୍ତାବ…

ନୂଆଦିଲ୍ଲୀ,୨୯।୭ : ଦେଶରେ ୟୁସିସି ବିଷୟରେ ଆଲୋଚନା ହେଉଛି। କେତେକ ଏହାକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି ଏବଂ କେତେକ ଏହାକୁ ସମର୍ଥନ କରୁଛନ୍ତି। ଏଥି ସହିତ ଦିବ୍ୟାଙ୍ଗ ଅଧିକାର ସଂଗଠନ ଏବଂ କାର୍ଯ୍ୟକର୍ତ୍ତାମାନେ ଆଇନ ଆୟୋଗକୁ ଅନୁରୋଧ କରିଛନ୍ତି ଦିବ୍ୟାଙ୍ଗଙ୍କ ଅଧିକାରର ସୁରକ୍ଷା ସହ ଜଡିତ ଆଇନ ସହିତ ୟୁସିସିରେ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ପ୍ରାୟ ୨୨୦ ଦିବ୍ୟାଙ୍ଗ ଅଧିକାର ସଂଗଠନ ଏବଂ କାର୍ଯ୍ୟକର୍ତ୍ତା ପରାମର୍ଶ ଦେଇଥିଲେ। ଆଇନ ଆୟୋଗ ୟୁସିସି ସମ୍ବନ୍ଧରେ ଜନମତ ଲୋଡିଛନ୍ତି, ଯେଉଁଥିରେ ଭିନ୍ନକ୍ଷମ ଅଧିକାର ସଂଗଠନ ମଧ୍ୟ ସେମାନଙ୍କ ମତାମତ ଦେଇଛନ୍ତି। ଦିବ୍ୟାଙ୍ଗ ଅଧିକାର ସଂଗଠନ ଏବଂ କାର୍ଯ୍ୟକର୍ତ୍ତା ଦିବ୍ୟାଙ୍ଗତା ଦୃଷ୍ଟିରୁ ଆଇନ ଆୟୋଗକୁ ସେମାନଙ୍କର ଚିନ୍ତା ଏବଂ ପରାମର୍ଶ ପ୍ରକାଶ କରିଥିଲେ।

ବିଶିଷ୍ଟ କାର୍ଯ୍ୟକର୍ତ୍ତା, ଆଡଭୋକେଟ ଏବଂ ଦିବ୍ୟାଙ୍ଗଙ୍କ ଦ୍ୱାରା ସମର୍ଥିତ ଏହି ଅନୁରୋଧ ପତ୍ରରେ ଦିବ୍ୟାଙ୍ଗଙ୍କ ଅଧିକାରର ସୁରକ୍ଷା ତଥା ୟୁସିସି ଚୂଡ଼ାନ୍ତ କରିବା ସମୟରେ ସେମାନଙ୍କ ଆବେଦନ ଶୁଣିବାକୁ ସୁନିଶ୍ଚିତ କରାଯାଇଛି। ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ତଥା ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ଏକ ଆଇନ ସାମିଲ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଦିବ୍ୟାଙ୍ଗଙ୍କ ଅଧିକାର ଆଇନ ୨୦୧୬ ଏବଂ ମାନସିକ ସ୍ବାସ୍ଥ୍ୟ ଚିକିତ୍ସା ଆଇନ ୨୦୧୭ ଭଳି ଆଇନକୁ ସାମିଲ କରିବାକୁ ଅନୁରୋଧ କରାଯାଇଛି। ଉପଯୁକ୍ତ ବିଚାର ନ କରି ୟୁସିସି କାର୍ଯ୍ୟକାରୀ ହେଲେ ଦିବ୍ୟାଙ୍ଗମାନେ ପ୍ରଭାବିତ ହେବାର ଆଶଙ୍କା ରହିବ ବୋଲି ସେମାନେ ଉଦବେଗ ପ୍ରକାଶ କରିଛନ୍ତି।

ଏହି ପ୍ରସ୍ତାବ ପତ୍ରରେ ଦସ୍ତଖତକାରୀଙ୍କ ମଧ୍ୟରେ ଦିବ୍ୟାଙ୍ଗଙ୍କ ଅଧିକାର ପାଇଁ ଜାତୀୟ ଫୋରମର ସାଧାରଣ ସଚିବ ମୁରଲୀଧରନ, ଦିଲ୍ଲୀ ହାଇକୋର୍ଟ ଆଡଭୋକେଟ ରୋମା ଭାଗବତ ଏବଂ ଭିନ୍ନକ୍ଷମ କାର୍ଯ୍ୟକର୍ତ୍ତା ସାଧନା ଆର୍ଯ୍ୟ ପ୍ରମୁଖ ଅଛନ୍ତି।

Share