Categories: ବାଣିଜ୍ୟ

ୟୁକୋ ବ୍ୟାଙ୍କର ହାରାହାରି ୩୪% ମହିଳା କର୍ମଚାରୀ

ଭୁବନେଶ୍ୱର,୧୬।୯ (ଅଭୟ ଦାଶ): ଅଲ୍‌ ଇଣ୍ଡିଆ ୟୁକୋ ବ୍ୟାଙ୍କ ଅଫିସର୍ସ ଫେଡେରେଶନ (ସର୍ବଭାରତୀୟ ୟୁକୋ ବ୍ୟାଙ୍କ ଅଧିକାରୀ ସଙ୍ଗଠନ) ପକ୍ଷରୁ ଏକ ଦିନିକିଆ ମହିଳା ଅଧିକାରୀଙ୍କ ଜାତୀୟ ସମ୍ମିଳନୀ ଭୁବନେଶ୍ୱରର ହୋଟେଲ ଏକ୍‌ସିଲେନ୍ସିଠାରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ରବିବାର ୟୁକୋ ବ୍ୟାଙ୍କ ଅଧିକାରୀ ସଂଘ ଓଡ଼ିଶା ଏବଂ ନିଖିଳ ଓଡ଼ିଶା ୟୁକୋ ବ୍ୟାଙ୍କ ଅଧିକାରୀ ସଂଘର ମିଳିତ ଆନୁକୂଲ୍ୟରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ସେ କହିଥିଲେ, ସମସ୍ତ ବ୍ୟାଙ୍କର ହାରାହାରି ମହିଳା କର୍ମଚାରୀଙ୍କ ସଂଖ୍ୟା ୨୪% ହୋଇଥିବାବେଳେ କେବଳ ୟୁକୋ ବ୍ୟାଙ୍କର ହାରାହାରି ମହିଳା କର୍ମଚାରୀଙ୍କ ସଂଖ୍ୟା ୩୪% ହୋଇଥିବାରୁ ସେ ଉଭୟ ବ୍ୟାଙ୍କ ଓ ମହିଳା କର୍ମଚାରୀମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ସେହିଭଳି ଭୁବନେଶ୍ୱରର ସାମାଜିକ ସଂଗଠନ ନିଃଶ୍ୱାସର ମୁଖ୍ୟ ନିର୍ଦ୍ଦେଶିକା ପ୍ରଫେସର ଡ. ସଶ୍ମି ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ମହିଳା ଅଧିକାରୀମାନଙ୍କୁ ବିଶେଷ ଉଦବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ୟୁକୋ ବ୍ୟାଙ୍କର ସର୍ବଭାରତୀୟ ଅଧିକାରୀ ସଂଘର ସଭାପତି ରାଜକୁମାର ଅରୋରା, ସଂଘର ପରାମର୍ଶ ପରିଷଦର ସର୍ବଭାରତୀୟ ଅଧ୍ୟକ୍ଷ ଅଶୋକ କୁମାର ହଣ୍ଡା, ଅଧିକାରୀ ସଂଘର ସର୍ବଭାରତୀୟ ଅଧ୍ୟକ୍ଷ ଦୀପଙ୍କର ମିତ୍ର, ସଂଘର ସର୍ବଭାରତୀୟ ସାଧାରଣ ସମ୍ପାଦକ ସନ୍ଦୀପ ଚୋବେ, ବରିଷ୍ଠ ଉପାଧ୍ୟକ୍ଷ ଅଜୟ କୁମାର ରାଉତରାୟ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ।
ସେହିପରି ଏହି ସମ୍ମିଳନୀରେ ଦେଶର ବିଭିନ୍ନ ରାଜ୍ୟରୁ ଶତାଧିକ ମହିଳା ଅଧିକାରୀମାନେ ଯୋଗଦେଇଥିଲେ। ଅପରପକ୍ଷରେ ସଂଘର ସାଧାରଣ ସମ୍ପାଦକ ସୁକାନ୍ତ ଛାଟୋଇ ସ୍ବାଗତ ଅଭିିଭାଷଣ ସହିତ ମଞ୍ଚ ପରିଚାଳନା କରିଥିଲାବେଳେ ବ୍ୟାଙ୍କର ପୂର୍ବତନ ଅଧିକାରୀ ଯୁଧିଷ୍ଠିର ମହାରଣା, ପ୍ରକାଶ ଚନ୍ଦ୍ର ରାଏ, ପୂର୍ଣ୍ଣଚନ୍ଦ୍ର ଜେନା ପ୍ରମୁଖ ମହିଳା ଅଧିକାରୀମାନଙ୍କର ସମସ୍ୟା ଏବଂ ଏହାର ସମାଧାନ ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ପରିଶେଷରେ ଆକାଶ ବକ୍ସି ଧନ୍ୟବାଦ ଅର୍ପଣ କରିଥିଲେ।

Share