Categories: ଜାତୀୟ

ଅଭିଯୁକ୍ତଙ୍କ ବାଇକ୍‌ରେ ୨୬/୧୧ ନମ୍ବର

ଉଦୟପୁର,୨।୭: ରାଜସ୍ଥାନ ଉଦୟପୁରର ଦରଜି କହ୍ନେୟାଲାଲ ତେଲିଙ୍କ ହତ୍ୟା ଅଭିଯୁକ୍ତ ରିଆଜ ଅଖ୍‌ତାରୀ ତାଙ୍କ ବାଇକ୍‌ରେ ‘୨୬୧୧’ (୨୦୦୮ ନଭେମ୍ବର ୨୬ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ) ନମ୍ବର ଲଗାଇଥିଲେ। ଏନେଇ ସେ ୨୦୧୩ରେ ୫ ହଜାର ଟଙ୍କା ଖର୍ଚ୍ଚ କରି ଏହି ନମ୍ବର କରିଥିବା ଜଣାପଡିଛି। ତାଙ୍କ ବାଇକ୍‌ର ନମ୍ବର ଆର୍‌ଜେ ୨୭ ଏଏସ୍‌ ୨୬୧୧ ରହିଛି। ଜୁନ୍‌ ୨୮ରେ ଅଭିଯୁକ୍ତ ରିଆଜ୍‌ ଏବଂ ଗୋସ୍‌ ମହମ୍ମଦ କହ୍ନେୟାଲାଲଙ୍କୁ ନିର୍ମମ ଭାବେ ହତ୍ୟା କରି ଉକ୍ତ ବାଇକ୍‌ରେ ଫେରାର ହୋଇଯାଇଥିଲେ। ପରେ ପୋଲିସ ସେମାନଙ୍କୁ ଗିରଫ କରିଥିଲା। ମୁମ୍ବାଇ ଆକ୍ରମଣ ସହ ସେମାନଙ୍କ ଲିଙ୍କ୍‌ ଥିବା ନେଇ ମଧ୍ୟ ତଦନ୍ତ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ନ୍ୟପକ୍ଷେ ଏହି ଘଟଣାରେ ଆତଙ୍କବାଦ ନିରୋଧୀ ସ୍କ୍ବାଡ ଆଉ ୨ ଜଣଙ୍କୁ ଗିରଫ କରିଥିବାବେଳେ ୩ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି। ଗିରଫ ଦୁଇ ଜଣଙ୍କ ନାଁ ମୋହସିନ୍‌ ଏବଂ ଆଶିଫ୍‌ । ହତ୍ୟାକାଣ୍ଡ ପାଇଁ ସେମାନେ ଯୋଜନା ପ୍ରସ୍ତୁତ କରିବା ସହ ରିଆଜ୍‌ ଏବଂ ଗୋସ୍‌ଙ୍କୁ ସହଯୋଗ କରିଥିବା ପୋଲିସ ସୂଚନା ଦେଇଛି।

Share