Categories: ଜାତୀୟ

କହ୍ନେୟାଲାଲ୍‌ଙ୍କ ହତ୍ୟାକାଣ୍ଡ ଅଭିଯୁକ୍ତଙ୍କ ବାଇକ୍‌ରେ ‘୨୬୧୧’ ନମ୍ବର

ଉଦୟପୁର, ୧ା୭: ରାଜସ୍ଥାନ ଉଦୟପୁରର ଦରଜି କହ୍ନେୟାଲାଲ ତେଲିଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ଦୁଇ ଅଭିଯୁକ୍ତ। ସେମାନଙ୍କ ବିଷୟରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ହତ୍ୟା ଅଭିଯୁକ୍ତ ରିଆଜ ଅଖ୍‌ତାରୀ ତାଙ୍କ ବାଇକ୍‌ରେ ‘୨୬୧୧’ ନମ୍ବର ଲଗାଇଥିଲେ। ୨୦୦୮ ନଭେମ୍ବର ୨୬ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ୨୬/୧୧ ନାମରେ ଜଣାଶୁଣା ଥିବାରୁ ରିୟାଜ ଏହି ନମ୍ବର ହାସଲ କରିବାକୁ ଟଙ୍କା ଖର୍ଚ୍ଚ କରିଥିବା ଆଶଙ୍କା କରାଯାଉଛି। ୨୦୧୩ରେ ସେ ଅତିରିକ୍ତ ୫ ହଜାର ଟଙ୍କା ଖର୍ଚ୍ଚ କରି ଏହି ନମ୍ବର କିଣିଥିଲେ। ତାଙ୍କ ବାଇକ୍‌ର ପୂରା ନମ୍ବର ‘ଆର୍‌ଜେ ୨୭ ଏଏସ୍‌ ୨୬୧୧’ ଥିବା ଜଣାପଡ଼ିଛି। ବର୍ତ୍ତମାନ ଏହି ଗାଡ଼ି ଉଦୟପୁରର ଧନ ମଣ୍ଡି ପୋଲିସ ଷ୍ଟେଶନରେ ଜବତ ହୋଇ ପଡ଼ି ରହିଛି।

ପ୍ରକାଶ ଯେ, ଜୁନ୍‌ ୨୮ରେ ଅଭିଯୁକ୍ତ ରିଆଜ୍‌ ଏବଂ ଗୋସ୍‌ ମହମ୍ମଦ କହ୍ନେୟାଲାଲଙ୍କୁ ହତ୍ୟା କରି ସେହି ବାଇକ୍‌ରେ ଫେରାର ହୋଇଯାଇଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ପୋଲିସ ସେମାନଙ୍କୁ ଚିହ୍ନଟ କରି ଗିରଫ କରିଥିଲା। ପ୍ରଥମେ ତାଙ୍କ ଫୋନ୍‌ରୁ ପାକିସ୍ତାନକୁ କଲ୍‌ ଯାଇଥିବା ଜଣାପଡ଼ିଥିଲା। ଏବେ ମୁମ୍ବାଇ ଆକ୍ରମଣ ସହ ସେମାନଙ୍କ କୌଣସି ଲିଙ୍କ୍‌ ଥିବା ନେଇ ମଧ୍ୟ ତଦନ୍ତ କରାଯିବ ବୋଲି ପୋଲିସ କହିଛି।

Share