Categories: ଜାତୀୟ

ମାତ୍ର ୨୪ ଘଣ୍ଟାରେ କହ୍ନେୟାଲାଲଙ୍କ ପରିବାରକୁ ମିଳିଲା ୧.୩୭ କୋଟି ଟଙ୍କାର ସହାୟତା

ନୂଆଦିଲ୍ଲୀ,୩୦।୬: ରାଜସ୍ଥାନର ଉଦୟପୁର ହତ୍ୟାକାଣ୍ଡ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଛି। ଧାର୍ମିକ ବିଦ୍ୱେଷକୁ ନେଇ ଯେଉଁଭଳି ଭାବେ ଜଣେ ନିରୀହ ଦରଜିଙ୍କୁ ଅତି ନିର୍ମମ ଭାବେ ଗଳାକାଟି ହତ୍ୟା କରାଯାଇଛି ତାହା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏଭଳି ବର୍ବରକାଣ୍ଡକୁ କଠୋର ଭାଷାରେ ନିନ୍ଦା କରାଯାଉଛି। କେବଳ ରାଜସ୍ଥାନର ନୁହେଁ, ସମଗ୍ର ଦେଶବାସୀ କହ୍ନେୟାଲାଲଙ୍କ ପରିବାର ସହାନୁଭୂତି ଦେଖାଉଛନ୍ତି। ଏକ ଟେଲରର ଦୋକାନ ଚଳାଉଥିବା କହ୍ନେୟାଲାଲ ପରିବାର ପାଇଁ ଏକମାତ୍ର ଆୟର ଉତ୍ସ ଥିଲେ। ତାଙ୍କ ମୃତ୍ୟୁ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି। ଭାରତୀୟ ଜନତା ପାର୍ଟି (ଭାଜପା) ନେତା କପିଲ ମିଶ୍ର କହ୍ନେୟାଲାଲଙ୍କ ପରିବାର ପାଇଁ ୨୪ ଘଣ୍ଟାରେ ୧.୩୭ କୋଟି ଟଙ୍କା ସଂଗ୍ରହ କରିଛନ୍ତି।
କପିଲ ମିଶ୍ରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଅଭିଯାନରେ ୧୨ ହଜାରରୁ ଅଧିକ ଲୋକ ସେମାନଙ୍କର ସାମର୍ଥ୍ୟ ଅନୁଯାୟୀ ସାହାଯ୍ୟ କରିଥିଲେ। ୩୦ ଦିନରେ କହ୍ନେୟାଲାଲଙ୍କ ପରିବାର ପାଇଁ ଏକ କୋଟି ସଂଗ୍ରହ କରିବାକୁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ମାତ୍ର ଗୋଟିଏ ଦିନରେ ତାହା ପୂରଣ ହୋଇଛି। କହ୍ନେୟାଲାଲଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ଆହତ ଇଶ୍ୱର ସିଂଙ୍କୁ ୨୫ ଲକ୍ଷ ଟଙ୍କା ଦେବାକୁ ନିଷ୍ପତ୍ତି ନିଆଯାଇଛି।
ଏହି ଅଭିଯାନ ଆରମ୍ଭ କରି କପିଲ ମିଶ୍ର ଟୁଇଟର୍‌ରେ ଲେଖିଛନ୍ତି, ଉଦୟପୁରରେ କହ୍ନେୟାଲାଲଙ୍କ ହତ୍ୟା। ଆତଙ୍କବାଦୀମାନେ ଜଣେ ଗରିବ ହିନ୍ଦୁଙ୍କୁ ହତ୍ୟା କରିଛନ୍ତି। କହ୍ନେୟାଲାଲ ଜିଙ୍କ ପରିବାରର ଦାୟିତ୍ୱ ବର୍ତ୍ତମାନ ଆମର। ତାଙ୍କ ସ୍ତ୍ରୀ, ପିଲାମାନେ ଏକାକୀ କିମ୍ବା ଦୁର୍ବଳ ରହିବେ ନାହିଁ।
ସୂଚନାଯୋଗ୍ୟ ଯେ, ରାଜସ୍ଥାନର ଉଦୟପୁରରେ ନୁପୁର ଶର୍ମାଙ୍କ ସମର୍ଥନରେ ଏକ ପୋଷ୍ଟ ଲେଖିଥିବାରୁ ଟେଲର କହ୍ନେୟାଲାଲ ତେଲିଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା । ପୋଷାକ ସିଲେଇ କରିବା ବାହାନାରେ ଦୋକାନରେ ପ୍ରବେଶ କରିଥିବା ଦୁଇ ଅଭିଯୁକ୍ତ ମହମ୍ମଦ ରିଆଜ ଏବଂ ଗୋସ୍‌ ମହମ୍ମଦ ଅପରାଧ ଘଟାଇବା ସମୟରେ ମଧ୍ୟ ଏକ ଭିଡିଓ କରିଛନ୍ତି।
ଭିଡିଓରେ ଦୁଇଜଣ ହତ୍ୟାକାରୀ ନିଜ ହାତରେ ଖଣ୍ଡା ଧରି ହସି ହସି ହତ୍ୟା କରିଥିବାର ସ୍ବୀକାର ମଧ୍ୟ କରିଥିଲେ। ଏହି ଘଟଣା ପରେ ଅଭିଯୁକ୍ତମାନେ ଘଟଣାର ଭିଡିଓ ଜାରି କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଧମକ ଦେଇଥିଲେ। ଯାହାକି ସାରା ରାଜ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ହତ୍ୟା ପରେ ଘଟଣାକୁ ନେଇ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି। ଫଳରେ ରାଜସ୍ଥାନ ସରକାର ସାରା ରାଜ୍ୟରେ ମାସକ ପାଇଁ ୧୪୪ ଧାରା ଜାରି କରିଛନ୍ତି। ଏଥି ସହିତ ଏକ ସ୍ବତନ୍ତ୍ର ଅନୁଧ୍ୟାନକାରୀ ଦଳ ଗଠନ କରାଯାଇଛି। ଉକ୍ତ ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।

Share