Categories: ଜାତୀୟ

୯୦ କୋଟି ଲୋକଙ୍କ ଭାବନାକୁ ଆଘାତ ଦେଇପାରିବେ ନାହିଁ ଉଦୟନିଧି: ସଞ୍ଜୟ ରାଉତ

ନୂଆଦିଲ୍ଲୀ,୭।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ସନାତନ ଧର୍ମକୁ ରଦ୍ଦ କରିବାର ବିବୃତ୍ତି ଉପରେ ବିବାଦ ଥମିବାର ନାଁ ନେଉନାହିଁ। ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ସଦସ୍ୟ ତଥା ଶିବସେନା(ୟୁବିଟି)ମଧ୍ୟ ଏହାକୁ ସମାଲୋଚନା କରିଛି। ଉଦୟନିଧି ଏହି ଦେଶରେ ରହୁଥିବା ୯୦ କୋଟିରୁ ଅଧିକ ଲୋକଙ୍କ ଭାବନାକୁ ଆଘାତ ଦେଇ ପାରିବେ ନାହିଁ ବୋଲି ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି।
ସଞ୍ଜୟ କହିଛନ୍ତି, ଉଦୟନିଧି ଷ୍ଟାଲିନ ଜଣେ ମନ୍ତ୍ରୀ ଏବଂ ତାଙ୍କ ବିବୃତ୍ତିକୁ କେହି ସମର୍ଥନ କରିବେ ନାହିଁ। ସେ ଏପରି ବିବୃତ୍ତିରୁ ନିବୃତ୍ତ ହେବା ଉଚିତ୍‌। ଏହା ଡିଏମ୍‌କେର ମତ ହୋଇପାରେ। ଏହି ଦେଶରେ ୯୦ କୋଟି ହିନ୍ଦୁ ଏବଂ ବିଭିନ୍ନ ଧର୍ମର ଲୋକ ବାସ କରନ୍ତି। ଏହିପରି ସମଗ୍ର ଦେଶର ପରିବେଶ ଖରାପ ହୋଇଯାଇଛି। ଏମ୍‌କେ ଷ୍ଟାଲିନ ଜଣେ ସମ୍ମାନିତ ନେତା। ଯଦି ତାଙ୍କର ପରାମର୍ଶଦାତାମାନେ ସତର୍କ ହୋଇ ମନ୍ତବ୍ୟ ଦିଅନ୍ତି ତେବେ ମିଳିତ ମେଣ୍ଟରେ କୌଣସି ପ୍ରତିବନ୍ଧକ ରହିବ ନାହିଁ।

Share