Categories: ଜାତୀୟ

ଉଦୟନିଧି ଷ୍ଟାଲିନ ହେବେ ଉପ ମୁଖ୍ୟମନ୍ତ୍ରୀ

ଚେନ୍ନାଇ,୧୮।୯: ତାମିଲନାଡୁରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଏବେ ଉଦୟନିଧି ଷ୍ଟାଲିନଙ୍କୁ ତାମିଲନାଡଉର ଉପମୁଖ୍ୟମନ୍ତ୍ରୀ କରାଯାଇପାରେ। ଏହି ଘୋଷଣା ବୁଧବାର ଯେ କୌଣସି ସମୟରେ ହୋଇପାରେ। ଏହାକୁ ନେଇ ଏକ ସରାକାରୀ ଘୋଷଣା ଜାରି କରାଯାଇଛି।

ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ବର୍ତ୍ତମାନ ରାଜ୍ୟର କ୍ରୀଡ଼ା ଏବଂ ଯୁବ କଲ୍ୟାଣ ମନ୍ତ୍ରୀ ଅଟନ୍ତି ଏବଂ ଆସନ୍ତା ୨୪ଘଣ୍ଟା ମଧ୍ୟରେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିପାରେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି।

ଏହି ମାସ ଆରମ୍ଭରେ, ଆମେରିକା ଗସ୍ତରେ ଯିବା ପୂର୍ବରୁ ଏମ.କେ ଷ୍ଟାଲିନ ଉଦୟନିଧି ଷ୍ଟାଲିନଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରିବା ପାଇଁ ଇଙ୍ଗିତ କରିଥିଲେ। ଚଳିତ ବର୍ଷ ଅଗଷ୍ଟରେ ତାମିଲନାଡୁର ମନ୍ତ୍ରୀ ରାଜକନପନ ମଧ୍ୟ ଉଦୟନିଧି ଷ୍ଟାଲିନଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିବାକୁ ଇଙ୍ଗିତ କରିଥିଲେ। ତେବେ ରାଜକନପନ ତୁରନ୍ତ ତାଙ୍କ ଭୁଲକୁ ସଂଶୋଧନ କରି କହିଥିଲେ ଯେ ସେ ଅଗଷ୍ଟ ୧୯ ପରେ ହିଁ ଉଦୟନିଧିଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବ ସମ୍ବୋଧନ କରାଯାଇପାରେ।
ସୂଚନାଯୋଗ୍ୟ, ନିକଟରେ ଅନୁଷ୍ଠିତ ସଂସଦ ନିର୍ବାଚନରେ ଦ୍ରାବିଡା ମୁନ୍ନେତ୍ରା କାଜଗାମ (ଡିଏମକେ) ଙ୍କ ବିଜୟର ଶ୍ରେୟ ଉଦୟନିଧିଙ୍କୁ ଦିଆଯାଇଥିଲା। ଦଳକୁ ଏକ ବଡ଼ ବିଜୟ ଦେବାରେ ତାଙ୍କର ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ସୂତ୍ରରୁ ପ୍ରକାଶ ଯେ ଦଳ ଉଦୟନିଧିଙ୍କ ଭାବମୂର୍ତ୍ତିର ଲାଭ ଉଠାଇବାକୁ ଏବଂ ୨୦୨୬ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ କରି ଏକ ବଡ଼ ବିଜୟ ହାସଲ କରିବାକୁ ଚାହୁଁଛି।

Share