Categories: ଜାତୀୟ

‘ଅସ୍ତିତ୍ୱ ବଞ୍ଚାଇବାକୁ ଚାଲିଛି ଡ୍ରାମା’

ପୁଣେ,୧।୫: ମହାରାଷ୍ଟ୍ରରେ ଲାଉଡସ୍ପିକର ଏବଂ ହନୁମାନ ଚାଳିଶା ବିବାଦ ଥମିବାର ନାଁ ନେଉନାହିଁ। ଏମ୍‌ଏନ୍‌ଏସ୍‌ ମୁଖ୍ୟ ରାଜ ଠାକରେ ଚେତାବନୀ ଦେବା ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ ଠାକରେଙ୍କୁ ରବିବାର ଟାର୍ଗେଟ୍‌ କରିଛନ୍ତି। ନଁା ନ ନେଇ ରାଜଙ୍କୁ ସମାଲୋଚନା କରି ସେ ନିଜର ଅସ୍ତିତ୍ୱ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଉଦ୍ଧବ ଅଭିଯୋଗ କରିଛନ୍ତି।
ଲୋକସତାର ଏକ କାର୍ଯ୍ୟକ୍ରମରେ ଉଦ୍ଧବ ଠାକରେ ଭାଜପା ଏବଂ ରାଜ ଠାକରେଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ବାଲାସାହେବଙ୍କ ସହ କିପରି ବିଶ୍ୱାସଘାତକତା କରିଛନ୍ତି ମୁଁ ନିଜ ଆଖିରେ ଦେଖିଛି। ସେ ସରଳ ଥିଲେ, ମୁଁ କିନ୍ତୁ ନୁହେଁ। ତୁମେ ହିନ୍ଦୁତ୍ୱ ନାମରେ ଯାହା ସବୁ କରୁଥିଲ ସେ ଆଖି ବୁଜିଦେଇଥିଲେ, କିନ୍ତୁ ମୁଁ ତାହା କରିବି ନାହିଁ।
ସେହିପରି ରାଜ ଠାକରେଙ୍କୁ ସମାଲୋଚନା କରି ଉଦ୍ଧବ କହିଥିଲେ, ସେ ଜନ୍ମରୁ ବିଭିନ୍ନ ପତାକା ଧରିଛନ୍ତି। ଆମେ ପତାକା ପରିବର୍ତ୍ତନ କରିନାହୁଁ, ତେଣୁ ଅସ୍ତିତ୍ୱ ଦେଖାଇବା ପାଇଁ ସେମାନଙ୍କୁ ଏପରି ଡ୍ରାମା କରିବାକୁ ପଡିବ, ଥିଏଟର ଦୁଇ ବର୍ଷ ପାଇଁ ବନ୍ଦ ଥିଲା। ମାଗଣା ମନୋରଞ୍ଜନ ଏବେ ଚାଲିଛି, ତେଣୁ ସମସ୍ତେ ଦେଖନ୍ତୁ।
ସୂଚନାଯୋଗ୍ୟ, ରାଜ ଠାକରେ ମସ୍‌ଜିଦରୁ ଲାଉଡ ସ୍ପିକର ହଟାଇବାକୁ ଦାବି ଆରମ୍ଭ କରିଥିଲେ। ଏହା ପରେ ଏହି ପ୍ରସଙ୍ଗ ସାରା ଦେଶରେ ବ୍ୟାପିଗଲା। ରାଜ ଠାକରେ ମଧ୍ୟ ମହାରାଷ୍ଟ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି, ଯଦି ମେ’ ୩ ତାରିଖ ପର୍ଯ୍ୟନ୍ତ ମସ୍‌ଜିଦରୁ ଲାଉଡ ସ୍ପିକର ହଟାଯାଇ ନ ଥାଏ, ତେବେ ସେମାନେ ମନ୍ଦିରରେ ହନୁମାନ ଚାଳିଶାା ପାଠ କରିବେ। ଏହାର ଠିକ୍‌ ପୂର୍ବରୁ ରାଜ ଠାକରେ ଔରଙ୍ଗାବାଦରେ ଏକ ବଡ ସମାବେଶକୁ ସମ୍ବୋଧିତ କରିବାକୁ ଯାଉଛନ୍ତି।

Share