Categories: ଜାତୀୟ

ଅନ୍ତର୍ଜାତୀୟ ବିଶ୍ୱାସଘାତ ଦିବସ ନେଇ ଉଦ୍ଧବ-ଭାଜପା ମୁହାଁମୁହିଁ: ନୋଟିସ ଜାରି କଲା ମୁମ୍ବାଇ ପୋଲିସ…

ମୁମ୍ବାଇ,୨୦।୬ : ମହାରାଷ୍ଟ୍ର ରାଜନୀତିରେ ମଙ୍ଗଳବାର ଏକ ବିଶେଷ ଦିନ । ବାସ୍ତବରେ, ଗତ ବର୍ଷ ଜୁନ ୨୦ ରେ, ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ୪୦ ଜଣ ବିଧାୟକ ଉଦ୍ଧବ ଠାକରେ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ। ଏହି ଦିନକୁ ‘ଅନ୍ତର୍ଜାତୀୟ ବିଶ୍ୱାଘାତ ଦିବସ’ ଭାବରେ ପାଳନ କରିବାକୁ ଶିବସେନା ଘୋଷଣା କରିଛି। ଏହି କାରଣରୁ ମୁମ୍ବାଇ ପୋଲିସ ଶିବସେନା-ଏନସିପି କର୍ମୀଙ୍କୁ ରାଜ୍ୟରେ ଆଇନ ଶୃଙ୍ଖଳାକୁ ଭଙ୍ଗ ନ କରିବାକୁ ନୋଟିସ ଜାରି କରି ଚେତାବନୀ ଦେଇଛି।

ବିଶ୍ୱାସଘାତକତା ପ୍ରସଙ୍ଗରେ ରାଜ୍ୟର ରାଜନୀତି ତୀବ୍ର ହୋଇଛି ଏବଂ ଆରୋପ ପ୍ରତ୍ୟରୋପର ବାକ୍‌ ଯୁଦ୍ଧ ଚାରିଆଡ଼େ ଚାଲିଛି।

ଜୁନ ୨୦କୁ ଅନ୍ତର୍ଜାତୀୟ ବିଶ୍ୱାସଘାତକ ଦିବସ ଭାବେ ପାଳନ କରିବାକୁ ଶିବସେନା ଦାବି କରୁଛି। ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସଙ୍କୁ ଶିବସେନା ନେତା ସଞ୍ଜୟ ରାଉତ ଏକ ଚିଠି ଲେଖିଛନ୍ତି। ଏହି ପତ୍ରରେ ସେ ଲେଖିଛନ୍ତି, ଭାରତର ରାଜ୍ୟସଭାର ସଦସ୍ୟ ଏବଂ ଶିବସେନା (ୟୁବିଟି) ର ନେତା ଭାବେ ମୁଁ ଜୁନ ୨୦କୁ ବିଶ୍ୱ ବିଶ୍ୱାସଘାତକ ଦିବସ ଭାବେ ପାଳନ କରିବାକୁ ପ୍ରସ୍ତାବ ଦେଉଛି । ସେହି ଦିନ ୪୦ ଜଣ ବିଧାୟକଙ୍କ ଏକ ବୃହତ ଦଳ ଭାଜପାର ପ୍ରରୋଚନାରେ ଶିବସେନା ଛାଡି ମହାବିକାଶ ଆଘାଡି ସରକାରକୁ ହଟାଇବାକୁ ଚେଷ୍ଟା କରିଥିଲେ। ଏହି ଲୋକମାନେ ଉଦ୍ଧବ ଠାକରେଙ୍କୁ ଠକିଥିଲେ। ସେଥିପାଇଁ ମୁଁ ଆବେଦନ କରୁଛି ଜୁନ ୨୦ କୁ ଅନ୍ତର୍ଜାତୀୟ ବିଶ୍ୱାସଘାତ ଦିବସ ଭାବରେ ପାଳନ କରାଯିବା ଉଚିତ।

ଏଥିସହ ଶିବସେନା (ୟୁବିଟି)ର ବିଶ୍ୱାସ ଘାତକତା ଅଭିଯୋଗ ନେଇ ଭାଜପା ମଧ୍ୟ ଉତ୍ତର ଦେଇଛି। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ଉଦ୍ଧବ ଠାକରେ ବିଶ୍ୱାସଘାତକତା ବିଷୟରେ କଥାବାର୍ତ୍ତା କରୁଛନ୍ତି। କିନ୍ତୁ ଉଦ୍ଧବ ଠାକରେ ପ୍ରକୃତରେ ବିଶ୍ୱାସଘାତକତା କରିଛନ୍ତି। ଫଡନାଭିସ କହିଛନ୍ତି ରାଜ୍ୟବାସୀ ଶିବସେନା-ଭାଜପାକୁ ସମର୍ଥନ କରିଛନ୍ତି କିନ୍ତୁ ଆପଣ କଂଗ୍ରେସ-ଏନସିପି ସହିତ ଯାଇଛନ୍ତି। ଏହି କ୍ଷେତ୍ରରେ, ଆପଣ ଏକ ପ୍ରକାର ବିଶ୍ୱାସଘାତକତା କରିଛନ୍ତି। ଫଡନାଭିସ ଏହା ମଧ୍ୟ କହିଛନ୍ତି. ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଶିବସେନାକୁ ରକ୍ଷା କରିଛନ୍ତି। ଭିଓ୍ବଣ୍ଡି ଲୋକସଭାର କଲ୍ୟାଣ ବିଧାନସଭାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାବେଳେ ଫଡନାଭିସ ଏହି କଥା କହିଛନ୍ତି।

ଉଦ୍ଧବ ଠାକରେଙ୍କୁ କଡ଼ା ସମାଲୋଚନା କରି ଭାଜପା ବିଧାୟକ ନୀତୀଶ ରାଣେ କହିଛନ୍ତି ଉଦ୍ଧବ ଠାକରେ ୨୭ ଜୁଲାଇରେ ତାଙ୍କ ଜନ୍ମଦିନ ପାଳନ କରନ୍ତି। ତାଙ୍କଠାରୁ କେହି ବଡ଼ ବିଶ୍ୱାସଘାତକ ନାହାନ୍ତି। ସେ ତାଙ୍କ ପିତାଙ୍କ ଆଦର୍ଶ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ହିନ୍ଦୁତ୍ୱ ଏବଂ ମରାଠା ପ୍ରତି ବିଶ୍ୱାସଘାତକତା କରିଛନ୍ତି। ସେ ଦେବେନ୍ଦ୍ର ଫଡନାଭିସ ଏବଂ ଭାଜପା ପ୍ରତି ବିଶ୍ୱାସଘାତକତା କରିଥିଲେ। ସେଥିପାଇଁ ଜୁଲାଇ ୨୭କୁ ଅନ୍ତର୍ଜାତୀୟ ବିଶ୍ୱାସଘାତକ ଦିବସ ଭାବରେ ପାଳନ କରାଯିବା ଉଚିତ । ରାଣେ କହିଛନ୍ତି ମୋର ଆଶା ମିଳିତ ଜାତିସଂଘ ମୋର ଆବେଦନ ଉପରେ ବିଚାର କରିବେ।

 

Share