ନୂଆଦିଲ୍ଲୀ, ୧୯।୮: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚ ଏବେ ସିବିଆଇ କରିବ। ଏନେଇ ସୁପ୍ରିମ୍କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହାଦ୍ୱାରା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ସରକାର ଏବଂ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ସମସ୍ୟା ବଢ଼ିଯିବ ବୋଲି କୁହାଯାଉଛି। ମହାରାଷ୍ଟ୍ର ସରକାରଙ୍କ ଆଇନଜୀବୀ କହିଛନ୍ତି ଯେ, ଖୁବ୍ ଶୀଘ୍ର ରିଭ୍ୟୁ ପିଟିଶନ୍ ଦାଖଲ କରାଯିବ। ମାମଲାକୁ ଭଲଭାବେ ଅଧ୍ୟୟନ କରି ସୁପ୍ରିମ୍କୋର୍ଟ ଖଣ୍ଡପୀଠ ୩୫ ପୃଷ୍ଠାର ରାୟ ଦେଇଛନ୍ତି। ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବା ଲାଗି ରାୟରେ ଉଲ୍ଲେଖ କରାଯାଇଛି। ତେବେ ରାୟକୁ ସମ୍ପୂର୍ଣ୍ଣ ପଢ଼ିବା ପରେ ରିଭ୍ୟୁ ପିଟିଶନ୍ ନିଷ୍ପତ୍ତି ନେବାକୁ ସୁପ୍ରିମ୍କୋର୍ଟ ମହାରାଷ୍ଟ୍ର ସରକାରଙ୍କ ଅଇନଜୀବୀଙ୍କୁ ପରାମର୍ଶ ଦେଇଛନ୍ତି। ବିହାର ପୋଲିସର ଏଫଆଇଆର୍ ଠିକ ଏବଂ ଆଇନ ସମ୍ମତ ବୋଲି କୋର୍ଟ ରାୟରେ ଦର୍ଶାଇଛନ୍ତି। ମହାରାଷ୍ଟ୍ର ସରକାରଙ୍କୁ କୋର୍ଟ ଆଦେଶ ପାଳନ କରିବାକୁ ପଡ଼ିବ ବୋଲି ସୁପ୍ରିମ୍କୋର୍ଟ ସୂଚନା ଦେଇଛନ୍ତି।