Categories: ଜାତୀୟ

ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ଉଦ୍ଧବ

ମୁମ୍ବାଇ,୧୨।୭: ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଉଦ୍ଧବ ଠାକରେ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ଏନେଇ ଉଦ୍ଧବ ଠାକରେ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ଉଦ୍ଧବ ଶିବସେନା ପକ୍ଷରୁ ସମର୍ଥନର ଘୋଷଣା କରିଛନ୍ତି। ସେ କହିଛନ୍ତି, ଶିବସେନା ଏମ୍‌ପିମାନେ ମୋ ଉପରେ କୌଣସି ଚାପ ପକାଇନାହାଁନ୍ତି, କିନ୍ତୁ ସେମାନେ ଅନୁରୋଧ କରିଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କ ପରାମର୍ଶକୁ ବିଚାର କରି ଆମେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛୁ। ଏଥିସହ ଏକ ଅନୁସୂଚିତ ଜନଜାତି ମହିଳା ରାଷ୍ଟ୍ରପତି ହୋଇଥିବାରୁ ଆମେ ବେଶ୍‌ ଖୁସି ବୋଲି ଉଦ୍ଧବ କହିଛନ୍ତି। ଅନ୍ୟପଟେ ଉଦ୍ଧବଙ୍କ ଏହି ନିଷ୍ପତ୍ତିରେ ମହା ବିକାଶ ଅଘାଡି(ଏମ୍‌ଭିଏ) ମେଣ୍ଟ ପାଇଁ ଏକ ବଡ଼ ଝଟ୍‌କା ଲାଗିଛି। କାରଣ ଏମ୍‌ଭିଏର ଅନ୍ୟ ଦୁଇ ସହଯୋଗୀ କଂଗ୍ରେସ ଏବଂ ଶରଦ ପାୱାରଙ୍କ ଏନ୍‌ସିପି ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରୁଛନ୍ତି। ବର୍ତ୍ତମାନ ଉଦ୍ଧବ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ସ୍ପଷ୍ଟ ହେଉଛି ଯେ, ସେ ସଞ୍ଜୟ ରାଉତଙ୍କ ମତକୁ ଗ୍ରହଣ ନ କରି ଦଳର ଏମ୍‌ପିଙ୍କୁ କଥାକୁ ସ୍ବୀକାର କରିଛନ୍ତି। ସୂଚନାଯୋଗ୍ୟ, ସୋମବାର ଶିବସେନାର ଏକ ବୈଠକ ହୋଇଥିଲା। ଏଥିରେ ଦଳର ୧୯ଜଣ ଏମ୍‌ପିଙ୍କ ମଧ୍ୟରୁ କେବଳ ୧୧ଜଣ ପହଞ୍ଚିଥିଲେ। ଉକ୍ତ ବୈଠକରେ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଏହି ଏମ୍‌ପିମାନଙ୍କ ମଧ୍ୟରୁ ଅଧିକାଂଶ ଉଦ୍ଧବଙ୍କୁ ନିବେଦନ କରିଥିଲେ।

Share