Categories: ଜାତୀୟ

ଗୋଟିଏ ସ୍ଥାନରେ ଏକାଠି ନଜର ଆସିଲେ ଉଦ୍ଧବ-ଫଡ୍‌ନବିିସ

ମୁମ୍ବାଇ,୩୦।୭: ମହାରାଷ୍ଟ୍ର କୋଲାହପୁର ଜିଲାର ବନ୍ୟାଗ୍ରସ୍ତ ଅଞ୍ଚଳକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ବିରୋଧୀ ଦଳର ନେତା ଦେବେନ୍ଦ୍ର ଫଡ୍‌ନବିସ ଗସ୍ତ କରି ସ୍ଥିତି ସମୀକ୍ଷା କରିଥିଲେ। ଏହି ସମୟରେ ଦୁଇ ନେତାଙ୍କୁ ଗୋଟିଏ ସମୟରେ ଓ ଗୋଟିଏ ସ୍ଥାନରେ ଏକାଠି ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳର ନେତା କିଛି ସମୟ ପାଇଁ ବନ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟ ବିଷୟରେ ପରସ୍ପର ସହ ଆଲୋଚନା କରିଥିଲେ। ଦୁହେଁ ମୁହାଁମୁହିଁ କଥା ହେଉଥିବା ବେଳର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଗୋଟିଏ ସମୟରେ ଓ ଗୋଟିଏ ସ୍ଥାନରେ ଦୁହିଁଙ୍କର ଭେଟ ହେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପଟେ ଲୋକଙ୍କ ପାଇଁ ଉଭୟ ରାଜନୀତି ଛାଡ଼ି ସହଯୋଗ କରିବାକୁ ଆଗେଇ ଆସିଥିବାରୁ ଦୁଇ ନେତାଙ୍କୁ ସବୁ ମହଲରେ ପ୍ରଶଂସା କରାଯାଉଛି। ଅନ୍ୟପଟେ ଏନେଇ ଉଦ୍ଧବ ଠାକରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପଡ୍‌ନବିସ ସେଠାରେ ଥିବା ଜାଣି ତାଙ୍କୁ କିଛି ସମୟ ରହିବାକୁ କହିଥିଲେ। କାରଣ ସେ ମଧ୍ୟ ସେଠାକୁ ଯାଉଥିଲେ। ଆମେ ଏକାଠି ମିଶି ଲୋକଙ୍କୁ ସହଯୋଗ କରିବା ପାଇଁ କାମ କରୁଛୁ। ତେଣୁ ଏହାକୁ ରାଜନୀତି ସହ ଯୋଡ଼ିବା ଠିକ୍‌ ନୁହେଁ ବୋଲି ଉଦ୍ଧବ କହିଛନ୍ତି। ଏଥିସହ ସରକାରରେ ୩ଟି ଦଳ ରହିଛି ଓ ୪ର୍ଥ ଦଳକୁ ସେ ମଧ୍ୟ ପ୍ରତିନିଧିତ୍ୱ କରୁଛନ୍ତି। ବନ୍ୟା ସମ୍ପର୍କରେ ମୁମ୍ବାଇରେ ଏକ ବୈଠକ କରାଯିବ ଏବଂ ସେଥିରେ ଫଡ୍‌ନବିସଙ୍କୁ ଆମନ୍ତ୍ରଣ କରିବେ ବୋଲି ଉଦ୍ଧବ କହିଛନ୍ତି। ସେହିପରି ପଡ୍‌ନବିସ ମଧ୍ୟ ଏନେଇ ପ୍ରତିିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବନ୍ୟା ରିଲିଫର ଦୀର୍ଘକାଳୀନ ଯୋଜନା ସମ୍ପର୍କରେ ଉଦ୍ଧବ ଠାକରେଙ୍କ ସହ ଆଲୋଚନା ହୋଇଛି। ଏଥିସହ ବନ୍ୟାଗ୍ରସ୍ତ ଅଞ୍ଚଳର ଲୋକଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ଦୁହେଁ କଥା ହୋଇଛନ୍ତି ବୋଲି ଫଡ୍‌ନବିସ କହିଛନ୍ତି।

 

Share