ନୂଆଦିଲ୍ଲୀ,୧୦।୧୦: ଶିବସେନାର ନାମ ଓ ପ୍ରତୀକ ଉପରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଦିଲ୍ଲୀ ହାଇକୋର୍ଟରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଚ୍ୟାଲେଞ୍ଜ କରିଛନ୍ତି। ନିର୍ବାଚନ ଆୟୋଗର ନିଷ୍ପତ୍ତିକୁ ସ୍ଥଗିତ ରଖିବାକୁ ଠାକରେଙ୍କ ଗୋଷ୍ଠୀ ଦାବି କରିଛନ୍ତି। ଅକ୍ଟୋବର ୮ରେ ନିର୍ବାଚନ ଆୟୋଗ ଶିବସେନାର ପ୍ରତୀକ ଏବଂ ନାମକୁ ଫ୍ରିଜ କରିଦେଇଥିଲେ। ଯାହାକୁ ନେଇ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ବର୍ତ୍ତମାନ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ, ଅକ୍ଟୋବର ୧୦ ଅର୍ଥାତ୍ ସୋମବାର ଉଦ୍ଧବ ଗୋଷ୍ଠୀ ଦିଲ୍ଲୀ ହାଇକୋର୍ଟରେ ଦଳର ନାମ ଓ ପ୍ରତୀକ ଉପରେ ନିଷେଧାଦେଶ ନେଇ ନିର୍ବାଚନ ଆୟୋଗଙ୍କ ଆଦେଶକୁ ରଦ୍ଦ କରିବାକୁ ଏକ ଆବେଦନ କରିଛନ୍ତି। ଏହି ଆବେଦନରେ ନିର୍ବାଚନ ଆୟୋଗ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ରାଓ ସମ୍ଭାଜୀ ଶିନ୍ଦେଙ୍କୁ ପକ୍ଷଭୁକ୍ତ କରାଯାଇଛି। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି କରିପାରନ୍ତି।