ପୁଣେ,୨୭।୩: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ହିନ୍ଦୁତ୍ୱ ବିଚାରକ ଭି.ଡି ସାଭରକର ମୋ ଆଦର୍ଶ। ରାହୁଲ ଗାନ୍ଧୀ ସାଭରକରଙ୍କୁ ଅପମାନ ନ କରନ୍ତୁ। ନଚେତ୍ ଆଗକୁ ପରିସ୍ଥିତି ଆହୁରି ଜଟିଳ ହୋଇପାରେ।
ଉତ୍ତର ମହାରାଷ୍ଟ୍ରର ନାଶିକ ଜିଲାର ମାଲେଗାଓଁରେ ଏକ ରାଲିକୁ ସମ୍ବୋଧିତ କରି ଉଦ୍ଧବ କହିଛନ୍ତି, ରାହୁଲ ଗାନ୍ଧୀଙ୍କୁ ଜାଣିଶୁଣି ଉତ୍ତେଜିତ କରିବାକୁ ଉଦ୍ୟମ କରାଯାଉଛି। ସାବରକର ଆମର ଭଗବାନ ଏବଂ ତାଙ୍କର ଅପମାନକୁ ବରଦାସ୍ତ କରାଯିବ ନାହିଁ। ଗଣତନ୍ତ୍ରର ସୁରକ୍ଷା ପାଇଁ ଆମକୁ ଏକାଠି ଲଢିବାକୁ ପଡିବ। ୧୪ ବର୍ଷ ଧରି ଆଣ୍ଡାମାନ ଜେଲରେ ସାଭରକର ଅକଥନୀୟ ନିର୍ଯାତନା ଭୋଗୁଥିଲେ। ଆମେ କେବଳ ଯନ୍ତ୍ରଣା ପଢିପାରିବା, ଏହି ବଳିଦାନ ଏକ ପ୍ରତୀକ। ମୁଁ ରାହୁଲ ଗାନ୍ଧୀଙ୍କୁ କହିବାକୁ ଚାହେଁ, ଆମ ଦେଶର ଗଣତନ୍ତ୍ର ଏବଂ ଏହାର ସମ୍ବିଧାନକୁ ବଞ୍ଚାଇବା ପାଇଁ ଆମେ ଏକାଠି ହୋଇଛୁ। ସେ ଜାଣିଶୁଣି ଉତ୍ତେଜିତ ହେଉଛନ୍ତି। ଯଦି ଆମେ ଏହି ସମୟକୁ ବୃଥା କରିବାକୁ ଦେବୁ ତେବେ ଗଣତନ୍ତ୍ର ବିଦ୍ୟମାନ ରହିବ ନାହିଁ।
ସୂଚନାଯୋଗ୍ୟ, ୨୦୧୯ରେ ରାହୁଲଙ୍କ ‘ସବୁ ମୋଦି ଚୋର’ ମନ୍ତବ୍ୟ ପାଇଁ ତାଙ୍କୁ ଦୋଷୀସାବ୍ୟସ୍ତ କରାଯିବା ସହ ୨ ବର୍ଷ ଜେଲଦଣ୍ଡ ହେବା ପରେ ତାଙ୍କ ଲୋକ ସଭା ସଭ୍ୟପଦ ଚାଲିଯାଇଛି। ଦିଲ୍ଲୀରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି, ମୋର ନାମ ସାଭରକର ନୁହେଁ, ମୋର ନାମ ଗାନ୍ଧୀ ଏବଂ ଗାନ୍ଧୀ କାହାକୁ କ୍ଷମା ମାଗନ୍ତି ନାହିଁ।