Categories: ଜାତୀୟ

କ୍ଷମତା ଲୋଭରେ ବାଲା ସାହେବଙ୍କ ସିନ୍ଧାନ୍ତ ବିରୋଧରେ ଯାଇଥିଲେ ଉଦ୍ଧବ: ଶିନ୍ଦେ…

ଅଯୋଧ୍ୟା,୯।୪ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ରବିବାର ରାମଲାଲା ମନ୍ଦିରରେ ପୂଜା କରିଥିଲେ। ସେ କହିଛନ୍ତି ଯେ ରାମ ମନ୍ଦିର ନିର୍ମାଣ ହେବା ସମସ୍ତଙ୍କ ଆଶା। ସମସ୍ତେ ଏହି ସ୍ବପ୍ନ ଦେଖୁଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ଭକ୍ତଙ୍କ ସ୍ବପ୍ନକୁ ପୂରଣ କରୁଛନ୍ତି। ଏହା ସହିତ ସେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ସେ କହିଛନ୍ତି ୨୦୧୯ରେ ଲୋକମାନେ ଭାବୁଥିଲେ ଯେ ରାଜ୍ୟରେ ହିନ୍ଦୁତ୍ୱ ସରକାର ଗଠନ ହେବା ଉଚିତ। କିନ୍ତୁ କିଛି ଲୋକ ଭୁଲ ଢଙ୍ଗରେ ସରକାର ଗଠନ କଲେ। ଆମେ ସେହି ଭୁଲକୁ ୮ ମାସରେ ସଂଶୋଧନ କଲୁ। କିଛି ଲୋକ କହିଥିଲେ ପ୍ରଥମେ ମନ୍ଦିର ପରେ ସରକାର। ଉଦ୍ଧବ ଠାକରେ ତାଙ୍କ ପିତା ବାଲା ସାହେବ ଠାକରେଙ୍କ ଉଦ୍ଦେଶ୍ୟ ଏବଂ ସିନ୍ଧାନ୍ତ ବିରୋଧରେ ରାଜ୍ୟରେ ସରକାର ଗଠନ କରିଥିଲେ। ତାଙ୍କର କ୍ଷମତା ଲୋଭ ଯୋଗୁ ସେ ଏଭଳି କରିଥିଲେ। ଏହା ସହିତ ସେ ଉଦ୍ଧବଙ୍କୁ କଟାକ୍ଷ କରି କହିଛନ୍ତି, ମୁଁ ଘରେ ବସିଥିବା ମୁଖ୍ୟମନ୍ତ୍ରୀ ନୁହେଁ କିମ୍ବା ଘରୁ ଅର୍ଡର ଦେଉଥିବା ବ୍ୟକ୍ତି ନୁହେଁ। ମୁଁ ବାହାରେ ବୁଲି ଜନସାଧାରଣଙ୍କ ସେବାକୁ ଗୁରୁତ୍ୱ ପ୍ରଦାନ କରିଥାଏ। ଲୋଭର ପରିଣତି ଉଦ୍ଧବ ଭୋଗିଛନ୍ତି। ସେ କ୍ଷମତାଚ୍ୟୁତ ହୋଇଛନ୍ତି।

Share